କୋଶଳ ବାଲ୍ମୀକି ହେମଚନ୍ଦ୍ର ଆଚାର୍ଯ୍ୟ ଜୟନ୍ତୀ ସମାରୋହ

ହେମଚନ୍ଦ୍ର ଆଚାର୍ଯ୍ୟଙ୍କ ସମାଜବାଦୀ ଆନ୍ଦୋଳନ ଓ ସମ୍ବଲପୁରୀ ସାହିତ୍ୟ ସର୍ଜନାରେ ଅତୁଳନୀୟ ଅବଦାନ ଥିଲା: ଜଷ୍ଟିସ ଶତୃଘ୍ନ ପୂଜାରୀ

ପଲ୍ଲୀ ପ୍ରୀତି, ଗାଁ ପ୍ରତି ମମତ୍ଵବୋଧ ଓ ସମାଜବାଦୀ ଚେତନାର ବହୁମୁଖି ପ୍ରତିଭା ଥିଲେ ହେମଚନ୍ଦ୍ର ଆଚାର୍ଯ୍ୟ: ଅଧ୍ୟାପକ ମୋହନ ସାହୁ

ବରଗଡ଼, ୨୧/୦୪: ହେମଚନ୍ଦ୍ର ଆଚାର୍ଯ୍ୟଙ୍କ ସମାଜବାଦୀ ଆନ୍ଦୋଳନ ଓ ସମ୍ବଲପୁରୀ ସାହିତ୍ୟ ସର୍ଜନା ରେ ଅତୁଳନୀୟ ଅବଦାନ ଥିଲା ବୋଲି କହିଛନ୍ତି ରାଜ୍ୟ ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୂଜାରୀ। ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲରେ ଗାନ୍ଧୀ ସ୍ମୃତି ପାଠାଗାର ଓ ହେମଚନ୍ଦ୍ର ଆଚାର୍ଯ୍ୟ ସ୍ମୃତି କମିଟି ପକ୍ଷରୁ ଆୟୋଜିତ କୋଶଳ ବାଲ୍ମୀକି ହେମଚନ୍ଦ୍ର ଆଚାର୍ଯ୍ୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜଷ୍ଟିସ ପୂଜାରୀ କହିଛନ୍ତି ଯେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ସାହିତ୍ୟ, ସଂସ୍କୃତି, ସାମାଜିକ ଆନ୍ଦୋଳନ ଓ ବିଶେଷ କରି ସ୍ଵାଧୀନତା ସଂଗ୍ରାମରେ ବରଗଡ଼ ଅଞ୍ଚଳର ଅଗ୍ରଣୀ ଭୂମିକା ରହିଛି। ସେହି କ୍ରମରେ ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି ଓ ସାମାଜିକ ଆନ୍ଦୋଳନରେ କବି ହେମଚନ୍ଦ୍ର ଆଚାର୍ଯ୍ୟଙ୍କ ଅଗ୍ରଣୀ ଭୂମିକା ରହିଛି। ଜଷ୍ଟିସ ପୂଜାରୀ କହିଥିଲେ ଯେ ହେମଚନ୍ଦ୍ର ଆଚାର୍ଯ୍ୟଙ୍କ ସାମାଜିକ ଚିନ୍ତାଧାରାରେ ମାନବ ଅଧିକାର ପ୍ରସ୍ଫୁଟିତ ହେଉଥିଲା। ଜଷ୍ଟିସ ପୂଜାରୀ ମହାତ୍ମା ଗାନ୍ଧୀଙ୍କ ଠାରୁ ଆଜି ଯାଏ ବିଭିନ୍ନ ମାନବ ଅଧିକାର କର୍ମୀଙ୍କ ସାମାଜିକ ନ୍ୟାୟ ଉପରେ ଚଳାଇଥିବା ଅଭିଯାନ ଉପରେ ଆଲୋଚନା କରି କହିଥିଲେ ଯେ ମାନବ ଅଧିକାର ସୁରକ୍ଷା ପାଇଁ ବ୍ୟାପକ ଜନ ସଚେତନତା ଜରୁରୀ ଅଟେ।

ମୁଖ୍ୟବକ୍ତା ଭାବରେ ଯୋଗଦେଇ ଅଧ୍ୟାପକ ମୋହନ ସାହୁ କବି ହେମଚନ୍ଦ୍ର ଆଚାର୍ଯ୍ୟଙ୍କ କବିତାରେ ସମାଜବାଦୀ ଚିନ୍ତାଧାରା ଓ ଗ୍ରାମୀଣ ଚିତ୍ର କିଭଳି ରହିଥିଲା ତାର ଉପରେ ଗଭୀର ଭାବରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ କବି ହେମଚନ୍ଦ୍ର ଆଚାର୍ଯ୍ୟ ପଲ୍ଲୀ ପ୍ରୀତି , ଗାଁ ପ୍ରତି ମମତ୍ଵବୋଧ ଓ ସମାଜବାଦୀ ଚେତନାର ବହୁମୁଖି ପ୍ରତିଭା ଥିଲେ। ତାଙ୍କର ସମ୍ବଲପୁରୀ ଭାଷା ସାହିତ୍ୟ ଅତି ଉଚ୍ଚାଙ୍ଗ ରହୁଥିଲା। ହେମଚନ୍ଦ୍ର ଗଭୀର ଜ୍ଞାନ ସହ ସମ୍ପୂର୍ଣ୍ଣ ଭାରତୀୟତାରେ ଭରପୂର ଥିବା ସମ୍ବେଦନଶୀଳ ବ୍ୟକ୍ତିତ୍ଵ ଓ ଆଧ୍ୟାତ୍ମିକ ଚେତନାର ଅଧିକାରୀ ଥିବା ସହ ଭଗବତ ପ୍ରୀତି ଥିବା ଜଣେ ମହାମନିଶୀ ଥିଲେ। ଶ୍ରୀ ସାହୁ କବି ହେମଚନ୍ଦ୍ର ଆଚାର୍ଯ୍ୟଙ୍କ ସାହିତ୍ୟ କୃତୀକୁ ଅତି ବିଶଦ ଭାବରେ ଆଲୋଚନା କରିବା ସହ କବି ଯେଉଁ ଧରଣର ଉଚ୍ଚାଙ୍ଗ କବିତାର ସ୍ତରକୁ ପହଞ୍ଚି ପାରିଥିଲା, ଆଜି ଆମର କବିମାନେ ସେହି ସ୍ତରକୁ ପହଞ୍ଚିବାର ଚେଷ୍ଟା କରୁନାହାନ୍ତି। ଗାନ୍ଧୀ ସ୍ମୃତି ପାଠାଗାରର ବରିଷ୍ଠ ସଦସ୍ୟ ସାହିତ୍ୟିକ ମନୋରଞ୍ଜନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାକୁ ଅଧ୍ୟାପକ କେଶ ରଞ୍ଜନ ପ୍ରଧାନ ପରିଚାଳନା କରିଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥଲେ ଅଧ୍ୟାପକ ପ୍ରିତିଶ ଆଚାର୍ଯ୍ୟ। ସଭାରେ ଗାନ୍ଧୀ ସ୍ମୃତି ପାଠାଗାର, ହେମଚନ୍ଦ୍ର ଆଚାର୍ଯ୍ୟ ସ୍ମୃତି କମିଟିର ବହୁ ସଦସ୍ୟଙ୍କ ସମେତ ସହରର ବହୁ ବୁଦ୍ଧିଜୀବୀ ଶିକ୍ଷାବିତ୍ ଓ ସାହିତ୍ୟିକମାନେ ଉପସ୍ଥିତ ଥିଲେ। ଏହି ଅବସରରେ ସମାଜବାଦୀ ଚିନ୍ତାଧାରାର ବିଶିଷ୍ଟ ସାଧକ ରାଧାକାନ୍ତ ବହିଦାରଙ୍କୁ ସ୍ମୃତି କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭା ଶେଷରେ ସଙ୍ଗୀତଜ୍ଞ ଶରତ ପାଢ଼ୀ କବି ହେମଚନ୍ଦ୍ର ଆଚାର୍ଯ୍ୟଙ୍କ କବିତା ପାଠ କରିଥିଲେ।