୮୮ ବର୍ଷ ବୟସରେ ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ପରଲୋକ
କିଏ ହେବେ କ୍ୟାଥୋଲିକ ଚର୍ଚ୍ଚର ପରବର୍ତ୍ତୀ ମୁଖ୍ୟ
ନୂଆଦିଲ୍ଲୀ, ୨୧/୦୪: ରୋମାନ କ୍ୟାଥୋଲିକ ଚର୍ଚ୍ଚର ପାଦ୍ରୀ ତଥା ଖ୍ରୀଷ୍ଟିଆନଙ୍କ ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କ ଦେହାନ୍ତ ହୋଇଛି। ଦୀର୍ଘ ଦିନ ଧରି ନିମୋନିଆରେ ପୀଡ଼ିତ ହୋଇ ଶେଷରେ ୮୮ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କାସା ସାନ୍ତା ମାର୍ଟାରେ ଥିବା ତାଙ୍କ ବାସଭବନରେ ପରଲୋକ ଘଟିଛି। ସେ ବହୁତ ଦିନ ଧରି ଡାକ୍ତରଖାନାରେ ଥିଲେ। ୩୮ଦିନ ଧରି ହସ୍ପିଟାଲରେ ରହିବା ପରେ କିଛି ଦିନ ତଳେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା।
ରୋମାନ କ୍ୟାଥଲିକ ଚର୍ଚ୍ଚର ପ୍ରଥମ ଲାଟିନ୍ ଆମେରିକୀୟ ପାଦ୍ରୀ ଇଷ୍ଟର ସନ୍ ଡେ ରେ ସାର୍ବଜନୀନ ଭାବେ ଉପସ୍ଥିତ ହୋଇଥିଲେ। ପୋପଙ୍କ ବିୟୋଗରେ ଇଟାଲିରେ ୯ ଦିନିଆ ଶୋକ ପାଳନ କରାଯିବ, ଯାହାକୁ ନୋଭେନଡିଆଲ୍ କୁହାଯାଏ। ଏହି ୯ ଦିନ ମଧ୍ୟରେ ବିଭିନ୍ନ ସେବା ଓ ସ୍ମୃତି ସଭା ଆୟୋଜନ କରାଯିବ।
ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ବିଶ୍ୱରେ ଶୋକର ଛାୟା ଖେଳିଯାଇଛି। ଭାରତର ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି ଏବଂ ତାଙ୍କ ଅମର ଏକଆତ୍ମାର ସଦଗତି କାମନା କରିଛନ୍ତି।
ଫ୍ରାନ୍ସିସଙ୍କ ଦେହାନ୍ତ ପରେ ତାଙ୍କ ଉତ୍ତରାଧିକାରୀ କିଏ ହେବେ ତାକୁ ନେଇ କଳ୍ପନାଜଳ୍ପନା ଚାଲିଛି।
• ଫିଲିପାଇନ୍ସର ୬୭ ବର୍ଷୀୟ ଲୁଇସ୍ ଆଣ୍ଟୋନିଓ ଟାଗଲ ସର୍ବ ପ୍ରଥମେ ଚର୍ଚ୍ଚାରେ ରହିଛନ୍ତି। ନିଜର କୋମଳ ଭାବମୂର୍ତ୍ତି ପାଇଁ ଜଣାଶୁଣା ଟାଗଲ ସମଲିଙ୍ଗୀ, ଛାଡ଼ପତ୍ର ପ୍ରାପ୍ତ କ୍ୟାଥଲିକ ଏବଂ ଅବିବାହିତ ମା’ ମାନଙ୍କ ପ୍ରତି ସବୁବେଳେ କଠୋର ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି। ଯଦି ସେ ପାଦ୍ରୀ ହୁଅନ୍ତି ତେବେ ଦକ୍ଷିଣ ଏସିଆରେ ତାଙ୍କ ପ୍ରଭାବ ଜାରି ରହିବ।
• ୨୦୧୩ ରୁ ଭାଟିକାନର ବୈଦେଶିକ ସଚିବ ଭାବରେ କାର୍ଡିନାଲ ପିଏଟ୍ରୋ ପାରୋଲିନ୍ ମଧ୍ୟ ଏହି ପଦରେ ଆଗରେ ରହିଛନ୍ତି। ସେ ଫ୍ରାନ୍ସିସଙ୍କ ସଂସ୍କାରକୁ ବଜାୟ ରଖିବାରେ ସର୍ବାଗ୍ରେ ରହିବେ ବୋଲି ବିଶ୍ୱାସ କରାଯାଏ।
• ହଙ୍ଗେରୀର ୭୨ ବର୍ଷୀୟ କାର୍ଡିନାଲ ପିଟର ଏର୍ଡୋ ଏହି ପଦ ପାଇଁ ଜଣେ ଦୃଢ଼ ପ୍ରତିଦ୍ୱନ୍ଦ୍ୱୀ। ସେ ସର୍ବଦା ଧାର୍ମିକ ରକ୍ଷଣଶୀଳତା ଏବଂ କଠୋର ଆଇନ କାନୁନ ପାଇଁ ଜଣାଶୁଣା। କିନ୍ତୁ ଶରଣାର୍ଥୀ ଓ ଦେଶାନ୍ତର କୁ ନେଇ ତାଙ୍କର ଅତୀତର ବିବାଦୀୟ ମନ୍ତବ୍ୟ ତାଙ୍କ ପ୍ରାର୍ଥୀତ୍ୱକୁ ଜଟିଳ କରିପାରେ।
• ଇଟାଲୀର ୮୨ ବର୍ଷୀୟ କାର୍ଡିନାଲ ଆଞ୍ଜେଲୋ ସ୍କୋଲା ଜଣେ ଗଭୀର ଜ୍ଞାନୀ ଓ ଧାର୍ମିକ ବ୍ୟକ୍ତିତ୍ଵ। ଯଦିଓ ଅଧିକ ବୟସର ଯୋଗୁଁ ସେ ଏହି ପଦରୁ ବାଦ ପଡିପାରନ୍ତି।
• ଇଟାଲୀର କାର୍ଡିନାଲ ମାଟିଓ ଜୁପ୍ପି ୟୁକ୍ରେନରେ ଶାନ୍ତି ପ୍ରୟାସ ଏବଂ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବୈଠକ ସମେତ କୂଟନୈତିକ ନୀତିରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେ ଏଲଜିବିଟିକ୍ୟୁ ସମ୍ପ୍ରଦାୟ ଓ ପଶୁପାଳନକୁ ବହୁ ସମର୍ଥନ କରନ୍ତି।
• ଯୁକ୍ତରାଷ୍ଟ୍ର ଆମେରିକାର ୭୫ ବର୍ଷୀୟ କାର୍ଡିନାଲ ରେମଣ୍ଡ ଲିଓ ବୁର୍କ ମଧ୍ୟ ଏହି ପଦ ପାଇଁ ଆଗ ଧାଡିରେ ଅଛନ୍ତି। ସେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପୋପ୍ ଫ୍ରାନ୍ସିସଙ୍କ ଉଦାରବାଦୀ ଆଭିମୁଖ୍ୟକୁ ଦୀର୍ଘ ଦିନ ଧରି ବିରୋଧ କରି ଆସୁଛନ୍ତି। ସମଲିଙ୍ଗୀ ସମ୍ପର୍କ, ଗର୍ଭପାତ ଏବଂ ଛାଡ଼ପତ୍ରକୁ ସେ ବିରୋଧ କରନ୍ତି। ସେ ଅତ୍ୟନ୍ତ ରକ୍ଷଣଶୀଳ ଚିନ୍ତାଧାରା ପାଇଁ ଜଣାଶୁଣା।