ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨ ବିଦେଶୀଙ୍କ ସମେତ ୨୬ ମୃତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନିନ୍ଦା: ଶ୍ରୀନଗରରେ ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ
ଆକ୍ରମଣ ପଛରେ ଲସ୍କର-ଇ-ତୋଏବା!
ଜମ୍ମୁ-କାଶ୍ମୀର, ୨୨/୦୪: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମର ବୈସରନ ଉପତ୍ୟକାରେ ଆତଙ୍କବାଦୀ ଆକ୍ରମଣର ୨୬ ଜଣ ପ୍ରାଣ ହରାଇଛନ୍ତି। ବୈସରନ ଉପତ୍ୟକା ‘ମିନି ସୁଇଜରଲ୍ୟାଣ୍ଡ୍’ ନାମରେ ପରିଚିତ। ଏଠାରେ ଟ୍ରେକିଂ କରିବାକୁ ଯାଇଥିବା ପର୍ଯ୍ୟଟକଙ୍କ ଉପରକୁ କିଛି ଅଜ୍ଞାତ ବନ୍ଧୁକଧାରୀମାନେ ଅତର୍କିତ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୨ ଜଣ ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟ ମୃତ୍ୟୁ ଘଟିଛି।
ଘଟଣାସ୍ଥଳରୁ ମୃତଦେହ ଚାରିଆଡ଼େ ପଡ଼ି ଥିବାର ଦେଖିବାକୁ ମିଳିଛି। ଆକ୍ରମଣ ପରେ ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ସ୍ଥାନୀୟ ଶାଖା ରେଜିଷ୍ଟାନ୍ସ ଫ୍ରଣ୍ଟ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି।
ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିବା ସହ ସମସ୍ତ ଉପଯୁକ୍ତ ପଦକ୍ଷେପ ନେବା ସହ ଅମିତ ଶାହଙ୍କୁ ଘଟଣାସ୍ଥଳ ପରିଦର୍ଶନ କରିବାକୁ ମଧ୍ୟ କହିଥିଲେ। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ବିଦେଶ ଗସ୍ତରେ ଅଛନ୍ତି।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆତଙ୍କବାଦୀ ଆକ୍ରମଣ ପଛରେ ଯେଉଁମାନେ ଅଛନ୍ତି ସେମାନଙ୍କୁ ଛଡ଼ାଯିବ ନାହିଁ। ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା ଜଣାଉଛି। ଆହତମାନେ ଯଥାଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ପ୍ରାର୍ଥନା କରୁଛି। କ୍ଷତିଗ୍ରସ୍ତଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଆମର ସଂକଳ୍ପ ଅତୁଟ ଏବଂ ଏହା ଆହୁରି ଦୃଢ଼ ହେବ ବୋଲି ମୋଦି କହିଛନ୍ତି।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏହି ବୈଠକରେ ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ ଏବଂ ଗୃହ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଉଛନ୍ତି। ଏହା ପରେ ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ସନ୍ଧ୍ୟା ୭ଟାରେ ପହଲଗାମ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ରାଜ୍ୟପାଳ ମନୋଜ ସିହ୍ନାଙ୍କ ସହ ବୈଠକରେ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି।