ଭୁବନେଶ୍ୱର, ୨୩/୦୪: ଆଜି ଭୁବନେଶ୍ଵର ସ୍ଥିତ ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି।
ନିମ୍ନରେ ଅନୁମୋଦିତ ପ୍ରସ୍ତାବ:-
୧. ଓଡ଼ିଶା ଅବକାରୀ ନିୟମ, ୨୦୧୭ର ନିୟମ ୭୯ରେ ସଂଶୋଧନକୁ ମଞ୍ଜୁରୀ ମିଳିଛି। ଯାହା ଦ୍ୱାରା ଡିଷ୍ଟିଲାରୀ, ବଟଲିଂ ୟୁନିଟ୍ ଓ ବ୍ରିୱେରୀ ୟୁନିଟ୍ ଗୁଡିକ ନିମନ୍ତେ ଅତିରିକ୍ତ କାର୍ଯ୍ୟ ଘଣ୍ଟା ଶୁଳ୍କ ଛାଡ କରାଯାଇଛି। ଏହା ଦ୍ୱାରା ରାଜ୍ୟରେ ପୁଞ୍ଜିନିବେଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
୨. ଅବକାରୀ କନେଷ୍ଟବଳଙ୍କ ସୁଗମ ନିଯୁକ୍ତି ଓ ସେବା ପରିଚାଳନା ପାଇଁ ରାଜ୍ୟ ସରକାର ଅବକାରୀ କନେଷ୍ଟବଳଙ୍କ କ୍ୟାଡରକୁ ଡିଭିଜନାଲ କ୍ୟାଡରରୁ ଜିଲ୍ଲା କ୍ୟାଡରରେ ପରିଣତ କରିଛନ୍ତି। ତେଣୁ ଓଡ଼ିଶା ସରକାରଙ୍କ ଅବକାରୀ ବିଭାଗ ଜିଲ୍ଲା କ୍ୟାଡରରେ ଅବକାରୀ କନେଷ୍ଟବଳଙ୍କ ସେବା ସର୍ଭାବଳୀ ଓ ନିଯୁକ୍ତି ପ୍ରକ୍ରିୟାର ସୁଗମ ପରିଚାଳନା କରିବା ପାଇଁ ଓଡ଼ିଶା ନିମ୍ନ ଅବକାରୀ ସେବା (ଅବକାରୀ କନେଷ୍ଟବଳଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ଭାବଳୀ) ନିୟମ, ୨୦୨୩ ରେ ସଂଶୋଧନକୁ ମଞ୍ଜୁରୀ ମିଳିଛି।
୩. କ୍ୟାବିନେଟ୍ ୨୦୨୩-୨୪ରୁ ୨୦୨୭-୨୮ ପାଇଁ ଜରୁରୀକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା (ଇଏମଏଏସ)ର ପର୍ଯ୍ୟାୟ-୩କୁ ଅନୁମୋଦନ ମିଳିଛି। ଆନୁମାନିକ ବାର୍ଷିକ ୧୧-୧୨ ଲକ୍ଷ ଜରୁରୀକାଳିନ ରୋଗୀ / ମାମଲା (ଗର୍ଭବତୀ ମହିଳା ଏବଂ ଶିଶୁ ସମେତ) ୨୦ ମିନିଟର ନିର୍ଦ୍ଧାରିତ ସମୟ ମଧ୍ୟରେ ଆମ୍ବୁଲାନ୍ସ (EMAS-108) ଦ୍ବାରା ନିର୍ଦ୍ଦିଷ୍ଟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ ହେବା ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ୫ ବର୍ଷ (୨୦୨୩-୨୪ ରୁ ୨୦୨୭-୨୮) ସମୟ ପାଇଁ ଟ. ୨୩୯୮୪୫.୨୬ ଲକ୍ଷ ବ୍ୟୟ ବରାଦ କରାଯାଇଛି। ଏହି ଯୋଜନା ଅଧୀନରେ ଓଡିଶାବାସୀଙ୍କ ପାଇଁ ମାଗଣାରେ ଆମ୍ବୁଲାନ୍ସ (EMAS-108) ଗାଡି ଯୋଗାଇ ରୋଗୀକୁ ଡାକ୍ତରଖାନା ନେବା ସହ ଜରୁରୀକାଳିନ ସ୍ବାସ୍ଥ୍ୟ ଚିକିତ୍ସା ସେବାର ବ୍ୟବସ୍ଥା କରାଯାଇଅଛି ।
୪. ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ସମ୍ପ୍ରଦାୟ ଏବଂ ପଛୁଆବର୍ଗ ମାନଙ୍କ ନିମନ୍ତେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ‘ଓଡିଶା ମଙ୍ଗଳ ସେବା’ ଏବଂ ‘ଓଡିଶା ଅଧସ୍ତନ ମଙ୍ଗଳ ସେବା” ର ପୁନର୍ଗଠନକୁ ଅନୁମୋଦନ ମିଳିଛି। ବିଭିନ୍ନ ପାହ୍ୟାରେ ୨୪ ଟି ନୂତନ ପଦବୀ ସୃଷ୍ଟି କରାଯିବାପାଇଁ ନିଷ୍ପତି ନିଆଯାଇଛି। ଏହି ପୁନର୍ଗଠନରେ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ’ ପାହ୍ୟାରେ ୨ଟି, ‘ଉପ ନିର୍ଦ୍ଦେଶକ’ ପାହ୍ୟାରେ ୧୧ଟି, ‘ଯୁଗ୍ମ ନିର୍ଦ୍ଦେଶକ’ ପାହ୍ୟାରେ ୮ଟି ଏବଂ ‘ଅତିରିକ୍ତ ନିର୍ଦ୍ଦେଶକ’ ପାହ୍ୟାରେ ୩ଟି ଅତିରିକ୍ତ ପଦବୀ ସୃଷ୍ଟି କରାଯାଇଛି।
୫. ଓଡିଶା ଶିଶୁ ଓ ମହିଳା କଲ୍ୟାଣ ସେବା (ସଂଶୋଧନ) ନିୟମ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ପୂର୍ବରୁ ଓଡିଶା ଶିଶୁ ଓ ମହିଳା କଲ୍ୟାଣ ସେବା ନିୟମ, ୧୯୮୯ ଅନୁସାରେ କନିଷ୍ଠ ବର୍ଗ ସେବା ପଦବୀରେ ଚୟନଭିରିକ ନିଯୁକ୍ତି ନିମନ୍ତେ ଜଣେ ଅଙ୍ଗନୱାଡି କର୍ମୀ ନିଶ୍ଚିତ ରୂପେ ମାଟ୍ରିକ ପାସ କରିଥିବା ଆବଶ୍ୟକ ହୋଇଥିବା ବେଳେ ବର୍ତ୍ତମାନ ସଂଶୋଧନ କରାଯାଇ ଅଙ୍ଗନୱାଡି କର୍ମୀ ନିଶ୍ଚିତ ରୂପେ ଯେକୌଣସି ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟରୁ ସ୍ନାତକ ପାସ କରିଥିବା ଆବଶ୍ୟକ। ଏହି ପଦକ୍ଷେପ ସେବା ବିତରଣ ମାନ ବୃଦ୍ଧି କରିବା, ଶିଶୁ ଓ ମହିଳାଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ ଯୋଜନା ଗୁଡିକର ସୁପରିଚାଳନା କରିବା ତଥା ବିଭାଗର ଦକ୍ଷତାକୁ ଦୃଢ କରିବା ନିମନ୍ତେ ସହାୟକ ହୋଇପାରିବ।
୬. କେନ୍ଦୁଝର ଜିଲ୍ଲାରେ ସମନ୍ୱିତ ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ପାଇଁ ୩୪୫୦ ହେକ୍ଟର ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ୧୦୮ କୋଟି ଟଙ୍କା ମଞ୍ଜୁର ହୋଇଛି। ପ୍ରକଳ୍ପଟି ୧୮ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବାର ଲକ୍ଷ୍ୟ ରଖା ଯାଇଅଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଦ୍ବାରା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ହାଟଡ଼ିହି ଘଷିପୁରା ବ୍ଲକର ଚାଷୀମାନେ ଉପକୃତ ହେବେ ଏବଂ ଏହା ସ୍ଥାନୀୟ ଲୋକମାନଙ୍କର ସାମାଜିକ ଓ ଅର୍ଥନୈତିକ ଜନ୍ନତିରେ ସହାୟକ ହେବ।