ନୂଆଦିଲ୍ଲୀ, ୨୪/୦୪: ଜମ୍ମୁ-କଶ୍ମୀରର ଉଧମପୁର ଜିଲ୍ଲାରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି ଭାରତୀୟ ସେନା ଯବାନ। ଏଥିରେ ଗୁଳି ବିନିମୟ ଫଳରେ ଜଣେ ଯବାନ ସହିଦ ହୋଇଛନ୍ତି।
ସେନାର ହ୍ଵାଇଟ୍ ନାଇଟ୍ କର୍ପସ୍ ର ସୂଚନା ଅନୁଯାୟୀ, ଗୁଳିବିନିମୟ ସମୟରେ ୬ ପାରାସୁଟ୍ ରେଜିମେଣ୍ଟ୍ (ସ୍ପେଶାଲ୍ ଫୋର୍ସ)ର ଯବାନ ଝଣ୍ଟୁ ଅଲ୍ଲୀ ଶେଖ୍ ଗୁରୁତର ଆହତ ହୋଇଥିଲେ। ଯାହା ଫଳରେ ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଛି।
ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ଆଜି ଉଧମପୁରର ବସନ୍ତଗଡ଼ରେ ଜମ୍ମୁ-କଶ୍ମୀର ପୁଲିସ ସହ ମିଳିତ ଅପରେସନ୍ ଆରମ୍ଭ ହୋଇଥିଲା। ପରେ ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ସେନା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହୋଇଥିଲା।
ସୂଚନାଯୋଗ୍ୟ, ପୂର୍ବରୁ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କ ସମ୍ପର୍କରେ ତଥ୍ୟ ରଖିଥିବା ବ୍ୟକ୍ତିଙ୍କୁ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା।