ଭୁବନେଶ୍ୱର, ୨୪/୦୪: ଜମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବାଲେଶ୍ଵର ଜିଲ୍ଲାର ରେମୁଣା ବ୍ଲକରେ ନିଶାଣୀ ଗ୍ରାମର ପ୍ରଶାନ୍ତ ଶତପଥୀଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଏହା ସହ ଶୋକସନ୍ତପ୍ତ ପରିବାରବର୍ଗକୁ ଭେଟି ସମବେଦନା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିବା ବେଳେ ତାଙ୍କ ପତ୍ନୀଙ୍କୁ ଚାକିରି ମିଳିବ ବୋଲି ଘୋଷଣା କରିଛନ୍ତି।
ଗତ କାଲି ରାତିରେ ଭୁବନେଶ୍ୱର ବିମାନବନ୍ଦରରେ ପ୍ରଶାନ୍ତଙ୍କ ମରଶରୀର ପହଞ୍ଚିବା ପରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଉପମୁଖ୍ୟମନ୍ତ୍ରୀ କେ. ଭି ସିଂହଦେଓ, ରାଜସ୍ବ ମନ୍ତ୍ରୀ, ବିଜେପି ରାଜ୍ୟ ସଭାପତି ଓ ପିସିସି ସଭାପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି।