ନୂଆଦିଲ୍ଲୀ, ୨୪/୦୪: ନିକଟରେ ଜମ୍ମୁ-କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜୋରଦାର ଜବାବ ଦେବାକୁ ପ୍ରସ୍ତୁତି ଚଳାଇଛି ଭାରତ। ଭାରତକୁ ଆସୁଥିବା ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ କରିଛି ଭାରତ। ଏହା ସହ ଭିସା ସେବାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି।
ଏକ ସରକାରୀ ବିବୃତିରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ପହଲଗାମ ଆକ୍ରମଣ ପରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବା ସିସିଏସ୍ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ପରେ ଏହି ପଦକ୍ଷେପ ନିଆଯାଇଛି। ୨୭ ଏପ୍ରିଲରୁ ପାକିସ୍ତାନୀ ନାଗରିକଙ୍କୁ ଜାରି କରାଯାଇଥିବା ସମସ୍ତ ବୈଧ ଭିସାକୁ ରଦ୍ଦ କରାଯାଇଛି। କେବଳ ମାନବିକତା ଦୃଷ୍ଟିରୁ ମେଡିକାଲ ଭିସାକୁ ସୀମିତ ସମୟ ଦିଆଯାଇଛି। ଯାହା କେବଳ ଏପ୍ରିଲ ୨୯ ପର୍ଯ୍ୟନ୍ତ ବୈଧ ରହିବ।
ଏହାବ୍ୟତୀତ ଭାରତ ସରକାର ନିଜ ନାଗରିକମାନଙ୍କୁ ପାକିସ୍ତାନରୁ ଯଥାଶୀଘ୍ର ଭାରତ ଫେରି ଆସିବାକୁ ନିର୍ଦ୍ଦେଶ ଦେଇଛନ୍ତି।