ପାକିସ୍ତାନକୁ ଭାରତର ୱାର୍ଣ୍ଣିଂ

୨୪-୩୬ ଘଣ୍ଟା ମଧ୍ୟରେ ଭାରତ କରିବ ଆକ୍ରମଣ!

ସୀମା ପାର ଗୁଳିଚାଳନା: ଦୁଇ ଦେଶର ଡିଜିଏମଓଙ୍କ ମଧ୍ୟରେ ଆଲୋଚନା

ନୂଆଦିଲ୍ଲୀ, ୩୦/୦୪: ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଛି ଅଶାନ୍ତି। ପାକିସ୍ତାନ ବାରମ୍ବାର ସୀମାପାର ଗୁଳି ଚାଳନା କରୁଥିବାରୁ ଏଲଓସି ନିକଟରେ ମଧ୍ୟ ଉତ୍ତେଜନା ମୂଳକ ପରିସ୍ଥିତି ଲାଗି ରହିଛି। ଯଦିଓ ଭାରତ ପକ୍ଷରୁ ମଧ୍ୟ କଡ଼ା ଜବାବ ଦିଆଯାଉଛି।

ଗତ ମଙ୍ଗଳବାର ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଂଘନକୁ ଦୃଷ୍ଟିରେ ରଖି ଉଭୟ ଦେଶର ସାମରିକ ଅପରେସନ ମହାନିର୍ଦ୍ଦେଶକ (ଡିଜିଏମ୍ଓ) ଆଲୋଚନା କରିଥିଲେ। ତେବେ ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ନିୟନ୍ତ୍ରଣ ରେଖା (ଏଲଓସି)ରେ ବାରମ୍ବାର ଏଭଳି ଉଲ୍ଲଂଘନକୁ ନେଇ ଭାରତ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛି।

ଗତକାଲି ସକାଳ ପର୍ଯ୍ୟନ୍ତ ଅସ୍ତ୍ରବିରତି ଉଲ୍ଲଂଘନ ନିୟନ୍ତ୍ରଣରରେ ରହିଥିଲା। କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଜମ୍ମୁର ପରଗୱାଲ ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେ ପାକିସ୍ତାନୀ ସେନା ଗୁଳି ଚଳାଇବା ପରେ ପରିସ୍ଥିତି ପୁଣି ଗମ୍ଭୀର ହୋଇଥିଲା।

ଅନ୍ୟପଟେ, ପାକିସ୍ତାନ ଦାବି କରିଛି ଯେ ଭାରତ ଆଗାମୀ ୨୪ରୁ ୩୬ ଘଣ୍ଟା ମଧ୍ୟରେ ତା’ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରୁଛି ଏବଂ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦେଇଛି। ପାକିସ୍ତାନର ସୂଚନା ମନ୍ତ୍ରୀ ଅତାଉଲ୍ଲା ତାରାର କହିଛନ୍ତି ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର ସମ୍ପୃକ୍ତି ନେଇ ଭାରତ ଭିତ୍ତିହୀନ ଏବଂ ମନଗଢ଼ା ଅଭିଯୋଗ ଆଧାରରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି ବୋଲି କହିଛନ୍ତି।