ଦେଶରେ ଜାତିଭିତ୍ତିକ ଜନଗଣନା କରିବେ କେନ୍ଦ୍ର ସରକାର
କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ରାଜନୈତିକ ବ୍ୟାପାର ସମିତିରେ ନିଷ୍ପତ୍ତି
ନୂଆଦିଲ୍ଲୀ, ୩୦/୦୪: ଆଗାମୀ ଦିନରେ ଜାତି ଭିତ୍ତିକ ଜନଗଣନା ହେବ ବୋଲି କେନ୍ଦ୍ର ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳର ରାଜନୈତିକ ବ୍ୟାପାର ସମିତିରେ ଏହି ନିଷ୍ପତ୍ତି ନିଆଯାଇଛି।
କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି ଯେ ଆଗାମୀ ଜନଗଣନାରେ ଜାତି ଭିତ୍ତିକ ଗଣନାକୁ ଅନ୍ତର୍ଭୁକ୍ତ କରାଯିବ। ସମାଜର ମୂଲ୍ୟବୋଧ ଓ ସ୍ୱାର୍ଥ ପ୍ରତି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଏହା ଦର୍ଶାଉଛି ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି, କଂଗ୍ରେସ ସବୁବେଳେ ଜାତି ଭିତ୍ତିକ ଜନଗଣନାକୁ ବିରୋଧ କରି ଆସୁଛି। ୨୦୧୦ମସିହାରେ ସ୍ୱର୍ଗତ ଡ. ମନମୋହନ ସିଂହ ସଂସଦରେ କହିଥିଲେ ଯେ ଜାତିଗତ ଜନଗଣନା ପ୍ରସଙ୍ଗକୁ କ୍ୟାବିନେଟରେ ବିଚାର କରାଯିବା ଉଚିତ। ଏହି ବିଷୟ ଉପରେ ବିଚାର କରିବା ପାଇଁ ଏକ ଟିମ୍ ଗଠନ କରାଯାଇଥିଲା। ଅଧିକାଂଶ ରାଜନୈତିକ ଦଳ ଜାତିଗତ ଜନଗଣନା ପାଇଁ ସୁପାରିସ କରିଛନ୍ତି। କିନ୍ତୁ କଂଗ୍ରେସ ଓ ଏହାର ଇଣ୍ଡି ମେଣ୍ଟ ସହଯୋଗୀମାନେ ଜାତିଗତ ଜନଗଣନାକୁ କେବଳ ଏକ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରିଛନ୍ତି। ଜାତି ଭିତ୍ତିକ ଜନଗଣନା ସ୍ୱଚ୍ଛ ଢଙ୍ଗରେ ହେବା ଉଚିତ। ଏହା ଦ୍ବାରା ସମାଜର ସାମାଜିକ ଓ ଅର୍ଥନୈତିକ ଢାଞ୍ଚା ସୁଦୃଢ଼ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।