ସୁବର୍ଣ୍ଣପୁର, ୦୧/୦୫: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ମତ୍ସ୍ୟ ଅଧିକାରୀ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ସହକାରୀ ମତ୍ସ୍ୟ ଅଧିକାରୀ (ଏଏଫଓ) ବିଭୂତି ଭୂଷଣ ପ୍ରଧାନ ଓ ତାଙ୍କ ସହଯୋଗୀ ବାବୁଲାଲ ବାରିକ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଭିଜିଲାନ୍ସ।
ସୂଚନା ଅନୁଯାୟୀ, ଏଏଫଓ ବିଭୂତି ଭୂଷଣ ପ୍ରଧାନ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସବସିଡି ପ୍ରଦାନ ପାଇଁ ୪୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହେଲେ ଏସଏଚଜି ମହିଳାମାନେ ଏତେ ଟଙ୍କା ଦେବାକୁ ଅସମର୍ଥତା ପ୍ରକାଶ କରିବାକୁ ୩୦ ହଜାର ଟଙ୍କାରେ କଥା ଛିଡିଥିଲା। ଲାଞ୍ଚ ସଂକ୍ରାନ୍ତରେ ଭିଜିଲାନ୍ସକୁ ସମସ୍ତ ଖବର ଜଣାଇଥିଲେ ଏସଏଚଜି ମହିଳା। ଏହା ପରେ ପୂର୍ବ ଯୋଜନା ମୁତାବକ, ଆଜି ଏଏଫଓ ଓ ତାଙ୍କ ସହଯୋଗୀ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ। ଲାଞ୍ଚୁଆ ଅଧିକାରୀଙ୍କ ଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯିବା ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଦୃଷ୍ଟିକୋଣରୁ ଉଭୟଙ୍କ ସହ ଜଡ଼ିତ ସମ୍ପତ୍ତି ଉପରେ ଚଢ଼ାଉ କରାଯାଇଛି ଏବଂ ଅଧିକ ତଥ୍ୟ ସଂଗ୍ରହ ପାଇଁ ପଚରାଉଚରା କରିଛି।