ନୂଆଦିଲ୍ଲୀ, ୦୪/୦୫: ପାକିସ୍ତାନ ଉପରେ ଡ଼ିଜିଟାଲ ପ୍ରହାର କରିଛି ଭାରତ। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାଓ୍ଵଲ୍ ଭୁଟ୍ଟୋଙ୍କ ଏକ୍ସ ଆକାଉଣ୍ଟକୁ ଭାରତରେ ବ୍ୟାନ କରାଯାଇଛି।
ଏପ୍ରିଲ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହିତ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରୁଛି ପଡ଼ୋଶୀ। ଗତ କିଛି ଦିନ ପୂର୍ବରୁ ପାକିସ୍ତାନର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅତାଉଲ୍ଲା ତାରାରଙ୍କ ଏକ୍ସ ଆକାଉଣ୍ଟକୁ ଭାରତରେ ବ୍ୟାନ କରି ଦିଆଯାଇଥିଲା। ଅନେକ ପାକିସ୍ତାନୀ ରାଜନେତାଙ୍କ ଏକ୍ସ ଆକାଉଣ୍ଟକୁ ବ୍ୟାନ କରିବା ବ୍ୟତୀତ ଭାରତ ହାନିଆ ଅମୀର ଏବଂ ମାହିରା ଖାନଙ୍କ ସମେତ ଅନେକ ପାକିସ୍ତାନୀ କଳାକାରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ମଧ୍ୟ ଅଚଳ କରିଛି। ସେହିପରି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲକୁ ମଧ୍ୟ ବ୍ୟାନର କରାଯାଇଥିଲା।
ଭାରତ-ପାକିସ୍ତାନ ସିନ୍ଧୁ ଜଳ ଚୁକ୍ତିକୁ ମଧ୍ୟ ସରକାର ସ୍ଥଗିତ ରଖିଛନ୍ତି। ପାକିସ୍ତାନୀ ବିମାନ ସେବା ପାଇଁ ଭାରତୀୟ ଆକାଶପଥକୁ ଅବରୋଧ କରାଯିବା ସହ ପାକିସ୍ତାନୀ ଜାହାଜକୁ ଭାରତୀୟ ବନ୍ଦରକୁ ପ୍ରବେଶ କରିବାକୁ କଟକଣା ଜାରି କରାଯାଇଛି। ପାକିସ୍ତାନରୁ ସାମଗ୍ରୀ ଆମଦାନୀ ବନ୍ଦ କରିଥିଲା ଭାରତ। ପାକ୍ ସହିତ ଭାରତ କୂଟନୈତିକ ଓ ଅର୍ଥନୈତିକ ସମ୍ପର୍କ ହ୍ରାସ କରିଛି।