ନୂଆଦିଲ୍ଲୀ, ୦୪/୦୫: ଦକ୍ଷିଣ କାଶ୍ମୀରର ପହଲଗାମରେ ଗତ ମାସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହ ଉତ୍ତେଜନା ବଢ଼ୁଥିବା ବେଳେ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଅମର ପ୍ରୀତ ସିଂହ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
ପହଲଗାମ ଆକ୍ରମଣର ସାମରିକ ଜବାବ ଦେବା ପାଇଁ ସଶସ୍ତ୍ର ବାହିନୀକୁ ପୂର୍ଣ୍ଣ ସ୍ୱାଧୀନତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ କାଲି ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
ସୂଚନାଯୋଗ୍ୟ, ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀର ୭ ଲୋକ କଲ୍ୟାଣ ମାର୍ଗସ୍ଥିତ ବାସଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ୯୦ ମିନିଟର ଏହି ସିସିପିଏ ବା ସୁପର କ୍ୟାବିନେଟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଜେନେରାଲ ଅନିଲ ଚୌହାନ ଏବଂ ତିନି ସେନା ମୁଖ୍ୟ- ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ, ନୌସେନା ମୁଖ୍ୟ ଆଡମିରାଲ ଦୀନେଶ କେ ତ୍ରିପାଠୀ ଏବଂ ବାୟୁସେନା ମୁଖ୍ୟ ଏୟାର ମାର୍ଶାଲ ଅମର ପ୍ରୀତ ସିଂହ ଉପସ୍ଥିତ ଥିଲେ।