‘ଅପରେସନ ସିନ୍ଦୂର’ରୁ ଅନୁପ୍ରାଣିତ ମାତାପିତା

୧୭ ନବଜାତଙ୍କ ନାଁ ରଖାଗଲା ‘ସିନ୍ଦୂର’

ନୂଆଦିଲ୍ଲୀ, ୧୩/୦୫: ଏପ୍ରିଲ୍ ୨୨ରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ବଦଲା ସ୍ୱରୂପ ଭାରତ କରିଥିଲା ‘ଅପରେସନ ସିନ୍ଦୂର’। ଏହି ଅପରେସନରେ ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆତଙ୍କବାଦୀଙ୍କ ଉପରେ ଭାରତୀୟ ବୀର ଯବାନଙ୍କ ଆକ୍ସନ ଦେଖି ଅନୁପ୍ରାଣିତ ହୋଇଛନ୍ତି ଭାରତର ନାଗରିକ। ଏହି ସାମରିକ ଅପରେସନରେ ଲୋକମାନେ ପ୍ରଭାବିତ ହୋଇଛନ୍ତି।

ଅପରେସନ ସିନ୍ଦୁରରୁ ଅନୁପ୍ରାଣିତ ହୋଇ ଉତ୍ତରପ୍ରଦେଶର କୁଶୀନଗରରେ ୧୭ ଜଣ ନବଜାତ କନ୍ୟାଙ୍କ ନାମ ସିନ୍ଦୂର ରଖାଯାଇଛି। କୁଶୀନଗର ମେଡିକାଲ କଲେଜରେ ମେ ୧୦ ଓ ୧୧ ତାରିଖରେ ଜନ୍ମ ଗ୍ରହଣ କରିଥିବା ୧୭ ଜଣ ନବଜାତ କନ୍ୟାଙ୍କ ନାମ ‘ସିନ୍ଦୂର’ ରଖିଛନ୍ତି ମାତାପିତା।

ନବଜାତ କନ୍ୟାଙ୍କ ମାତାପିତାମାନେ କହିଛନ୍ତି ଯେ, ସିନ୍ଦୂର ଏବେ ଏକ ଶବ୍ଦ ନୁହେଁ ବରଂ ଏକ ଭାବନା। ଏହି ଶବ୍ଦ ଆମ ପାଇଁ ପ୍ରେରଣା। ତେଣୁ ଆମେ ଆମ ଝିଅର ନାମ ସିନ୍ଦୂର ରଖିବାକୁ ନିଷ୍ପତ୍ତି ନେଇଛୁ। ଆମେ ଏହି ଅପରେସନକୁ ଆମେ ସାରା ଜୀବନ ମନେ ରଖିବୁ ଏବଂ ଏହି ଦିନକୁ ପାଳନ କରିବୁ। ଯେତେବେଳେ ଆମ ଝିଅ ବଡ଼ ହେବ, ସେ ଏହି ଶବ୍ଦର ପ୍ରକୃତ ଅର୍ଥ ବୁଝିବ ଏବଂ ଭାରତ ମାତାଙ୍କ ପାଇଁ ନିଜକୁ ଜଣେ କର୍ତ୍ତବ୍ୟନିଷ୍ଠ ନାରୀ ଭାବରେ ସମାଜରେ ଉପସ୍ଥାପନ କରିବ। ଏହା ଆମ ଝିଅ ଭିତରେ ସାହସ ସୃଷ୍ଟି କରିବ ବୋଲି ମାତାପିତାମାନେ କହିଛନ୍ତି।

ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ ଠାରୁ ୬ କିମି ଦୂର ବୈସରନ ଉପତ୍ୟକାରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନେକ ଆହତ ହୋଇଥିଲେ। ଏହାର ଜବାବରେ ଭାରତୀୟ ସେନା ଅପରେସନ ସିନ୍ଦୂର ଆରମ୍ଭ କରି ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିବା ସହ ୧୦୦ରୁ ଉର୍ଦ୍ଧ୍ବ ଆତଙ୍କୀଙ୍କୁ ନିପାତ କରିଥିଲେ।