ନୂଆଦିଲ୍ଲୀ, ୧୬/୦୫: ଅପରେସନ ସିନ୍ଦୁର ପରେ ଦେଶକୁ ଆବଶ୍ୟକ ଆହୁରି ଅଧିକ ଅସ୍ତ୍ରଶସ୍ତ୍ର। ନୂଆ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ କିଣିବା ପାଇଁ ପ୍ରତିରକ୍ଷା ବଜେଟରେ ଅତିରିକ୍ତ ବ୍ୟୟ ବରାଦ କରାଯିବାର ସମ୍ଭାବନା ରହିଛି।
ସପ୍ଲିମେଣ୍ଟାରୀ ବଜେଟ୍ ଜରିଆରେ ୫୦ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି। ସଂସଦର ଶୀତକାଳୀନ ଅଧିବେଶନରେ ଏହାକୁ ଅନୁମୋଦନ ମିଳିପାରେ।
ଅତିରିକ୍ତ ଆବଣ୍ଟନ ସହିତ ସଶସ୍ତ୍ର ବାହିନୀର ଆବଶ୍ୟକତା, ଅତ୍ୟାବଶ୍ୟକ କ୍ରୟ ଏବଂ ଗବେଷଣା ଏବଂ ବିକାଶ ପାଇଁ ବ୍ୟବସ୍ଥା କରାଯିବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରତିରକ୍ଷା ପାଇଁ କେନ୍ଦ୍ର ବଜେଟରେ ରେକର୍ଡ ୬.୮୧ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା, ଯାହା କି ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୯.୫୩% ଅଧିକ।
ଅପରେସନ ସିନ୍ଦୁରରେ ଭାରତ ନିଜସ୍ୱ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ସାମର୍ଥ୍ୟ ପ୍ରଦର୍ଶନ କରିଥିଲା। ଏହାକୁ ଦୃଷ୍ଟିରେ ରଖି ଦେଶର ଆବଶ୍ୟକତାକୁ ପୂରଣ କରିବା ପାଇଁ ଅଧିକ ଅସ୍ତ୍ରଶସ୍ତ୍ର କ୍ରୟ କରିବାର ଅଛି।