ଦୁର୍ଦ୍ଦାନ୍ତ ମାଓ ନେତା ବାସବ ରାଜ ସମେତ ୨୭ ନକ୍ସଲ ସଫା

ଜଣେ ଯବାନ ସହିଦ

ଛତିଶଗଡ଼, ୨୧/୦୫: ଛତିଶଗଡ ବିଜାପୁର ନାରାୟଣପୁର ଓ ଦନ୍ତେୱାଡା ଜିଲ୍ଲା ସୀମାନ୍ତରେ ଥିବା ଅବୁଝମାଡ଼ ଜଙ୍ଗଲରେ  ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳି ବିନିମୟ ଘଟି ମାଓ ଗଡ଼ ଭୁଶୁଡ଼ି ପଡିଛି। ମାଓ ଶିବିରକୁ ଚାରି ପଟୁ ଘେରିଛନ୍ତି ସୁରକ୍ଷା କର୍ମୀ। ଜବାନଙ୍କ ଗୁଳିରେ ୨୭ ମାଓବାଦୀ ନିହତ ହୋଇଥିବା ସୁଚନା ମିଳିଛି। DRG ଓ CRPF ଜବାନ ଅପରେସନରେ ସାମିଲ୍ ହୋଇଥିବା ବେଳେ ଘଟଣା ଉପରେ ନଜର ରଖିଛନ୍ତି ବସ୍ତର ଆଇଜି ସୁନ୍ଦରରାଜ ପିଆନାମ୍ବାଲା। ଏଥିରେ ଦୁର୍ଦ୍ଦାନ୍ତ ମାଓ ନେତା ବାସବ ରାଜଙ୍କ ମୃତ୍ୟୁ ଘଟିଛି। ସେ ମାଓ ସଂଗଠନ ମୁଖ୍ୟ ଥିଲେ। ମାଓନେତା ଗଣପତିଙ୍କ ମୃତ୍ୟୁ ପରେ କେଶବ ରାଓ ମାଓବାଦୀଙ୍କ କେନ୍ଦ୍ରିୟ କମିଟିର ଦାୟିତ୍ୱ ନେଇଥିଲେ। ଘର ତାଙ୍କର ଆନ୍ଧ୍ର ପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଜିଆନ୍ନାପେଟ ଗାଁ ରେ ବୋଲି ଜଣାପଡିଛି। ତାଙ୍କୁ ଧରାଇଦେଲେ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ ବୋଲି ଘୋଷଣା କରାଯାଇଥିଲା।

ଅବୁଝମାଡ ଜଙ୍ଗଲରେ ହୋଇଥିବା ଏନକାଣ୍ଟରକୁ ନେଇ  ଛତିଶଗଡ ଗୃହ ମନ୍ତ୍ରୀ ବିଜୟ ଶର୍ମା କହିଛନ୍ତି ଯେ, ସୁରକ୍ଷା କର୍ମୀଙ୍କ ଗୁଳିରେ ୨୭ ମାଓବାଦୀ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ବଡ ବଡ ମାଓ ନେତା ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଅବୁଝମାଡ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି। ଅନ୍ୟ ପଟେ ମାଓବାଦୀଙ୍କ ଗୁଳିରେ ଜଣେ ସୁରକ୍ଷା କର୍ମୀ ସହିଦ ହୋଇଛନ୍ତି।