୭୫ ବର୍ଷ ପରେ ମୁମ୍ବାଇକୁ ସଅଳ ଆସିଲା ମୌସୁମୀ
୧୦୭ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା
ମୁମ୍ବାଇ, ୨୬/୦୫: ମୁମ୍ବାଇରେ ଏଥର ଶୀଘ୍ର ମୌସୁମୀ ଆସିଛି। ସ୍ୱାଭାବିକ ଠାରୁ ୧୬ ଦିନ ପୂର୍ବରୁ ସୋମବାର ମୁମ୍ବାଇକୁ ମୌସୁମୀ ଆସିଛି। ଏହା ପ୍ରଭାବରେ ମୌସୁମୀ ଆଗମନର ପ୍ରଥମ ଦିନରେ ମୁମ୍ବାଇରେ ୧୦୭ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା। ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ୧୯୧୮ରେ ହିଁ ମୁମ୍ବାଇରେ ଏଭଳି ବର୍ଷା ହୋଇଥିଲା। ସେହିପରି ୧୯୫୦ ପରେ ଆଉ ମୁମ୍ବାଇକୁ ଶୀଘ୍ର ମୌସୁମୀ ଆସିନଥିଲା। ୭୫ ବର୍ଷ ପରେ ପ୍ରଥମ କରି ମୁମ୍ବାଇକୁ ଶୀଘ୍ର ମୌସୁମୀ ଆସିଛି।
ବ୍ରିହନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମ୍ସି)ର ରେକର୍ଡ ଅନୁସାରେ, ସୋମବାର ମଧ୍ୟରାତ୍ରିରୁ ସକାଳ ୧୧ଟା ମଧ୍ୟରେ ଦକ୍ଷିଣ ମୁମ୍ବାଇର ଅନେକ ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି। କୋଲାବା ଅବଜର୍ଭେଟୋରୀରେ ସର୍ବାଧିକ ୨୯୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହା ପୂର୍ବରୁ ୧୯୧୮ ମେ’ ମାସରେ ୨୭୯.୪ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା।
ଆଇଏମଡି ତଥ୍ୟ ଅନୁଯାୟୀ, ସୋମବାର ସକାଳ ସାଢ଼େ ୮ଟାରୁ ୧୧ଟା ମଧ୍ୟରେ କୋଲାବାରେ ୧୦୫.୨ ମିଲିମିଟର, ସାନ୍ତାକ୍ରୁଜରେ ୫୫ ମିମି, ବାନ୍ଦ୍ରାରେ ୬୮.୫ ମିମି, ଜୁହୁ ବିମାନବନ୍ଦରରେ ୬୩.୫ ମିମି, ଚେମ୍ବୁରରେ ୩୮.୫ ମିମି, ବିକ୍ରୋଲିରେ ୩୭.୫ ମିମି, ମହାଲକ୍ଷ୍ମୀରେ ୩୩.୫ ମିଲିମିଟର ଏବଂ ସିଓନରେ ୫୩.୫ ମିଲିମିଟର ବର୍ଷା ହୋଇଛି। ସୋମବାର ଆଇଏମଡି ମୁମ୍ବାଇ, ଥାନେ, ରାୟଗଡ଼ ଏବଂ ରତ୍ନଗିରି ଜିଲ୍ଲା ପାଇଁ ରେଡ୍ ଆଲର୍ଟରେ ଜାରି କରିଛି।