ଅଧ‌ ଘଣ୍ଟା ଯାଏଁ ଆକ୍ରମଣର ସୁରାକ ପାଇ ନଥିଲା ପାକିସ୍ତାନ

‘ଅପରେସନ ସିନ୍ଦୂର’କୁ ନେଇ ବଡ଼ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର

ନୂଆଦିଲ୍ଲୀ, ୨୬/୦୫ : ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀର (ପିଓକେ)ରେ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ଭାରତ କରିଥିଲା ‘ଅପରେସନ୍ ସିନ୍ଦୂର’। ମାତ୍ର ୨୫ ମିନିଟ୍ ଭିତରେ ଛାରଖାର ହୋଇଯାଇଥିଲା ଆତଙ୍କୀ ଗଡ଼। ମାଟିରେ ମିଶିଗଲେ ଆତଙ୍କୀ ଓ ସେମାନଙ୍କ ଆଡ୍ଡା ସ୍ଥଳ। ଧ୍ୱସ୍ତ ବିଧ୍ୱସ୍ତ ହୋଇଗଲା ସେମାନଙ୍କ ସାମରିକ ପ୍ରତିଷ୍ଠାନ।

କିନ୍ତୁ ଆକ୍ରମଣ ହେବାର ୩୦ ମିନିଟ୍ ଯାଏଁ ବି ସୁରାକ ଟିକେ ପାଇନଥିଲା ପାକିସ୍ତାନ। ୩୦ ମିନିଟ୍ ପରେ ଇସଲାମାବାଦକୁ ସୂଚନା ଦିଆଯିବା ପରେ ସେ ଜାଣି ପାରି ସତର୍କ ହୋଇଥିଲା। ଅପରେସନ ସିନ୍ଦୁର ଆରମ୍ଭ ହେବାର ଅଧ ଘଣ୍ଟା ପରେ ପାକିସ୍ତାନକୁ ସୂଚନା ଦିଆଯାଇଥିଲା ଯେ କେବଳ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳକୁ ଟାର୍ଗେଟ କରାଯାଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ସୋମବାର ସଂସଦୀୟ ପରାମର୍ଶଦାତା କମିଟିକୁ ସୂଚନା ଦେଇଛନ୍ତି।

“ପାକିସ୍ତାନ ପଟୁ ଗୁଳି ଚାଳନା ହେଉଥିଲେ, ଆମେ ଗୁଳି ଚଳାଉଥାଉ। ସେମାନେ ଅଟକି ଯାଉଥିଲେ, ଆମେ ଅଟକୁଥାଉ। ଆମେରିକୀୟ ବୈଦେଶିକ ସଚିବ ଆମକୁ ସୂଚନା ଦେଇଥିଲେ ଯେ ପାକିସ୍ତାନ ବଡ଼ ଧରଣର ଜବାବ ଦେଇପାରେ, ସେତେବେଳେ ଭାରତ କହିଥିଲା, ଯଦି ପାକିସ୍ତାନ ଉତ୍ତେଜିତ ହୋଇ ଆକ୍ରମଣ କରେ ତାହାଲେ, ଆମେ ତାହାର ଦୃଢ଼ ଜବାବ ଦେବାକୁ ପ୍ରସ୍ତୁତ ଅଛୁ।” ବୋଲି ଏହି କମିଟିରେ ଜୟଶଙ୍କର କହିଛନ୍ତି।

ଅପରେସନ୍ ସିନ୍ଦୁର ଏବଂ ପାକିସ୍ତାନରୁ ସୃଷ୍ଟି ହେଉଥିବା ସୀମାପାର ଆତଙ୍କବାଦ ଉପରେ ଆଲୋଚନା ପାଇଁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଦେଶିକ ବ୍ୟାପାର ସଂକ୍ରାନ୍ତ ସଂସଦୀୟ ପରାମର୍ଶଦାତା କମିଟିର ବୈଠକରେ କେସି ବେଣୁଗୋପାଳ, ମନୀଷ ତିୱାରୀ, ମୁକୁଲ ବାସନିକ, ପ୍ରିୟଙ୍କା ଚତୁର୍ବେଦୀ, ଅପରାଜିତା ଷଡ଼ଙ୍ଗୀ ଓ ଗୁରଜିତ୍ ସିଂହ ଓଜଲାଙ୍କ ସମେତ ବହୁ ସାଂସଦମାନେ ଯୋଗ ଦେଇଥିଲେ।

ଅପରେସନ ସିନ୍ଦୁର ସମ୍ପର୍କରେ ସରକାର ପାକିସ୍ତାନକୁ ଆଗୁଆ ସୂଚନା ଦେଇଛନ୍ତି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଅଭିଯୋଗ କରିବା ପରେ ରାଜନୈତିକ ବିବାଦ ଉପୁଜିବା ପରେ କେନ୍ଦ୍ରମନ୍ତ୍ରୀ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ଆକ୍ରମଣ ଆରମ୍ଭରେ ପାକିସ୍ତାନକୁ ସୂଚନା ଦେବା ଆମର ଭୁଲ ଥିଲା। ଭାରତ ସରକାର ଏହା କରିଛନ୍ତି ବୋଲି ବୈଦେଶିକ ମନ୍ତ୍ରୀ ସ୍ୱୀକାର କରିଛନ୍ତି।