ଋଣଭାରରେ ବୁଡ଼ି ପୂରା ପରିବାର ନିଶ୍ଚିହ୍ନ

ବିଷ ପିଇ କଲେ ଆତ୍ମହତ୍ୟା

ହିସାର, ୨୭/୦୫: ହରିୟାଣାର ପଞ୍ଚକୁଲାରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଗୋଟିଏ ପରିବାରର ୭ ଜଣ ସଦସ୍ୟ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ପଞ୍ଚକୁଲାର ସେକ୍ଟର-୨୭ରେ ଏକ ଘର ବାହାରେ ପାର୍କିଂ ହୋଇଥିବା ଏକ କାର୍ ଭିତରେ ମୃତଦେହ ଦେଖିବାକୁ ମିଳିଥିଲା। କାରରେ ଆତ୍ମହତ୍ୟା କରିଥିବା ୭ ଜଣଙ୍କ ମଧ୍ୟରୁ ଜଣେ କିଛି ସମୟ ପାଇଁ ହୋସରେ ଥିବା ଜଣେ ସଦସ୍ୟ ସ୍ଥାନୀୟ ଲୋକଙ୍କୁ କହିଥିଲେ ଯେ, ଆମେ ଋଣଭାରରେ ବୁଡି ଯାଇଛୁ। ତେଣୁ ବିଷ ପିଇ ଆତ୍ମହତ୍ୟା କରିଛୁ। ମୁଁ ମଧ୍ୟ ଆଉ ୫ ମିନିଟ୍ ଭିତରେ ମରିଯିବି। ଏଭଳି ହୃଦୟ ବିଦାରକ ଘଟଣା ଆଜି ସାରା ଦେଶକୁ ଦୋହଲାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ ଡେରାଡୁନର ପ୍ରବୀଣ ମିତ୍ତଲ ପଞ୍ଚକୁଲାର ବାଗେଶ୍ୱର ଧାମରେ ତାଙ୍କ ପରିବାର ସହ ଏକ ପ୍ରବଚନରେ ଯୋଗ ଦେବାକୁ ଯାଇଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ ପରିବାର ଡେରାଡୁନ ଫେରୁଥିବା ବେଳେ ବାଟରେ ରବିବାର ଏଭଳି ପଦକ୍ଷେପ ନେଇଥିଲେ।

ସେମାନଙ୍କୁ ଏଭଳି ଅବସ୍ଥାରେ ପ୍ରଥମେ ସ୍ଥାନୀୟ ଲୋକେ ଦେଖିଥିଲେ। କାର୍ ଭିତରେ ଏଭଳି ସନ୍ଦେହଜନକ ଅବସ୍ଥାରେ ଦେଖି ସେମାନଙ୍କୁ ବାହାରକୁ ଆଣିଥିଲେ ଏବଂ ପରେ ପୁଲିସକୁ ଖବର ଦେଇଥିଲେ।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଆମ ଘର ନିକଟରେ ଏହି ଘଟଣା ଘଟିଛି। ସେ ଆମ ଘର ସାମନାରେ ଗାଡ଼ି ପାର୍କିଂ କରିଥିବା ବେଳେ ଆମେ ତାଙ୍କୁ ଏଠାରେ କାହିଁକି ପାର୍କିଂ କରିଛ ବୋଲି ପଚାରିଥିଲୁ। ସେମାନେ ଆମକୁ କହିଥିଲେ ଯେ ସେମାନେ ବାବାଙ୍କ କାର୍ଯ୍ୟକ୍ରମ ପାଇଁ ଆସିଛନ୍ତି ଏବଂ ହୋଟେଲ ପାଇନାହାଁନ୍ତି। ତେଣୁ ସେମାନେ କାର୍ ରେ ଶୋଇଛନ୍ତି। ଆମେ ସେମାନଙ୍କୁ କାର୍ କୁ ସ୍ଥାନାନ୍ତର କରି ଅନ୍ୟତ୍ର ପାର୍କିଂ କରିବାକୁ କହିଥିଲୁ। କିନ୍ତୁ ପରେ ଆମେ ଦେଖିଲୁ ଯେ ସେମାନେ ପରସ୍ପର ଉପରେ ବାନ୍ତି କରିଛନ୍ତି। ତା’ପରେ ଆମେ ସେମାନଙ୍କୁ କାର୍ ରୁ ବାହାର କରିଥିଲୁ। ସେହି ସମୟରେ କେବଳ ଜଣେ ବ୍ୟକ୍ତିଙ୍କର ହୋସ ଥିବା ବେଳେ ଅନ୍ୟମାନେ ଅଚେତ ଥିଲେ। ଯିଏ ବଞ୍ଚିଥିଲେ ସେ କହିଥିଲେ ଯେ ଆମେ ଋଣଭାରରେ ବୁଡ଼ି ଯାଇଛୁ। ତେଣୁ ବିଷ ପିଇ ଦେଇଛୁ। ବିଷ ପିଇଥିବାରୁ ସେ ମଧ୍ୟ ୫ ମିନିଟ୍ ମଧ୍ୟରେ ମରିଯିବେ ବୋଲି କହିଥିଲେ।

ପୋଲିସ ପହଞ୍ଚି ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ମୃତକମାନେ ହେଲେ ପ୍ରବୀଣ ମିତ୍ତଲ (୪୨), ତାଙ୍କ ପିତାମାତା, ପତ୍ନୀ ଏବଂ ଦୁଇ ଝିଅ ଓ ଗୋଟିଏ ପୁଅ। ତେବେ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିବା ପୁଲିସ ସୂଚନା ଦେଇଛି।

ପ୍ରବୀଣଙ୍କ ସମ୍ପର୍କୀୟ ଭାଇ ସନ୍ଦୀପ ଅଗ୍ରଓ୍ଵାଲଙ୍କ କହିବା ନୁସାରେ, ହିମାଚଳ ପ୍ରଦେଶରେ ତାଙ୍କର ଏକ ସ୍କ୍ରାପ୍ କାରଖାନା ଥିଲା, ଯାହାକୁ ପରେ ଋଣ ପରିଶୋଧ ନ କରିବା କାରଣରୁ ବ୍ୟାଙ୍କ ଜବତ କରିଥିଲା। ଋଣ ଯୋଗୁଁ ପରିବାର ହଠାତ୍ ହିସାର ଛାଡି ଡେରାଡୁନ ଯିବାକୁ ବାଧ୍ୟ ହୋଇଥିଲେ। ୫ ବର୍ଷ ଧରି ସେ କାହା ସହ ଯୋଗାଯୋଗରେ ରହିନଥିଲେ। ଋଣ ସୁଝି ନ ପାରିବା ହେତୁ ତାଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଥିଲା।

ବର୍ତ୍ତମାନ ସେମାନେ ପଞ୍ଚକୁଲାର ଏକ ସାକେତ୍ରି ଗାଁ ନିକଟରେ ରହୁଥିଲେ ଯେଉଁଠାରେ ପ୍ରବୀଣ ଏକ ଟ୍ୟାକ୍ସି ଚଳାଇ ଗୁଜୁରାଣ ମେଣ୍ଟାଉଥିଲେ। ତେବେ ପୂର୍ବରୁ ପ୍ରବୀଣଙ୍କ ଦୁଇଟି ଫ୍ଲାଟ, ତାଙ୍କ କାରଖାନା ଏବଂ ତାଙ୍କ ଗାଡ଼ିକୁ ବ୍ୟାଙ୍କ ଜବତ କରିସାରିଛି ବୋଲି ତାଙ୍କ ସମ୍ପର୍କୀୟ ଭାଇ କହିଛନ୍ତି।