ଭୁବନେଶ୍ୱର, ୩୦/୦୫: ସିକ୍କିମର ତିସ୍ତା ନଦୀରେ ଗୁରୁବାର ସନ୍ଧ୍ୟାରେ ଏକ ପର୍ଯ୍ୟଟକ ବସ୍ ପ୍ରାୟ ୧୦୦୦ ଫୁଟ ତଳକୁ ଖସି ପଡ଼ିବାରୁ ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୮ ଜଣ ନିଖୋଜ ଅଛନ୍ତି। ଏହି ନିଖୋଜଙ୍କ ମଧ୍ୟରେ ଅଛନ୍ତି ଯାଜପୁର ରୋଡ୍ ଅଞ୍ଚଳର ଓଡ଼ିଶା ବିଜେପି ନେତ୍ରୀ ଇତିଶ୍ରୀ ଜେନା।
ସିକିମର ଚୁଙ୍ଗଥାଙ୍ଗ-ମୁନ୍ସିଥାଙ୍ଗ ରାସ୍ତାରେ ହୋଇଥିଲା ଏହି ଭୟଙ୍କର ଦୁର୍ଘଟଣା। ଗୁରୁଡୋଙ୍ଗମାର ରୁ ଗ୍ୟାଙ୍ଗଟକ ଫେରିବା ରାସ୍ତାରେ SK03J650 ନମ୍ବର ବିଶିଷ୍ଟ ଏକ ପର୍ଯ୍ୟଟକ ଗାଡ଼ି ରାସ୍ତାରୁ ଓଲଟି ପ୍ରାୟ ୧୦୦୦ ଫୁଟ ତଳକୁ ଖସି ପଡ଼ିଥିଲା।
ପ୍ରାଥମିକ ସୂଚନା ଅନୁଯାୟୀ, ଗାଡ଼ିରେ ଜଣେ ଡ୍ରାଇଭରଙ୍କୁ ମିଶାଇ ମୋଟ ୧୧ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ଅନ୍ୟ ୮ ଜଣଙ୍କ ପତ୍ତା ମିଳୁନାହିଁ। ନିଖୋଜଙ୍କ ମଧ୍ୟରୁ ଓଡ଼ିଶାର ୫ ଜଣ ଅଛନ୍ତି। ଏହି ପର୍ଯ୍ୟଟକମାନେ ଅଧିକାଂଶ ଓଡ଼ିଶା ଓ ପଶ୍ଚିମବଙ୍ଗରୁ ଯାଇଥିଲେ। ଉଦ୍ଧାର କାର୍ଯ୍ୟ ଏବେ ବି ଜାରି ରହିଛି।
ଏହି ଖବର ଜାଣିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଏହି ବସ୍ ରେ ଓଡ଼ିଶାର ଅନେକ ଯାତ୍ରୀ ଥିବାର ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ସିକ୍କିମ ସରକାରଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାର ଦୁର୍ଘଟଣାଗସ୍ତ ଯାତ୍ରୀ ମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶାକୁ ଆଣିବା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହିତ ଓଡ଼ିଶାରୁ ଅଧିକାରୀ ମାନଙ୍କ ଏକ ସ୍ବତନ୍ତ୍ର ଟିମ୍ ଏହାର ସୁପରିଚାଳନା ପାଇଁ ସିକ୍କିମ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।