ନୂଆଦିଲ୍ଲୀ, ୩୦/୦୫: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୦୨୫ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଚମତ୍କାର ପ୍ରଦର୍ଶନ କରିଥିବା ୧୪ ବର୍ଷୀୟ ଟିନ୍ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପାଟନା ବିମାନବନ୍ଦରରେ ବୈଭବଙ୍କୁ ଭେଟିଛନ୍ତି ମୋଦି।
ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ଫଟୋ ଶେୟାର କରି ବୈଭବଙ୍କ ଅସାଧାରଣ ବ୍ୟାଟିଂ ଦକ୍ଷତାକୁ ପ୍ରଶଂସା କରିଥିଲେ। “ପାଟନା ବିମାନବନ୍ଦରରେ ଯୁବ କ୍ରିକେଟ୍ ତାରକା ବୈଭବ ସୂର୍ଯ୍ୟବଂଶୀ ଓ ତାଙ୍କ ପରିବାରକୁ ଭେଟିଲି। କ୍ରିକେଟରେ ତାଙ୍କ ଦକ୍ଷତାକୁ ସମଗ୍ର ଦେଶରେ ପ୍ରଶଂସା କରାଯାଉଛି। ତାଙ୍କର ଉଜ୍ୱଳ ଭବିଷ୍ୟତ ପାଇଁ ମୋର ଶୁଭେଚ୍ଛା” ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି।
ଗତବର୍ଷ ଜେଦ୍ଦାରେ ଅନୁଷ୍ଠିତ ଆଇପିଏଲ ତାରକାଙ୍କ ମେଗା ନିଲାମ ବେଳେ ରାଜସ୍ଥାନ ରୟାଲ୍ସ ବୈଭବ ସୂର୍ଯ୍ୟବଂଶୀଙ୍କୁ ୧.୧ କୋଟି ଟଙ୍କାରେ କିଣିବା ବେଳେ ବୈଭବଙ୍କୁ ମାତ୍ର ୧୩ ବର୍ଷ ହୋଇଥିଲା। ଏପ୍ରିଲ ୧୯ ରେ ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ (ଏଲଏସଜି) ବିପକ୍ଷରେ ଖେଳି ସେ ଆଇପିଏଲ ପଦାର୍ପଣ କରିଥିଲେ। ରାଜସ୍ଥାନ ରୟାଲ୍ସ ପ୍ଲେ ଅଫରୁ ବାଦ ପଡ଼ିବା ପରେ ସୂର୍ଯ୍ୟବଂଶୀ ବିହାର ଫେରି ଯାଇଥିଲେ।