ତୁର୍କୀକୁ ଭାରତର ଶକ୍ତ ଝଟକା
ତୁର୍କୀ ଏୟାରଲାଇନ୍ସ ସହ ଚୁକ୍ତି ସମାପ୍ତ କରିବାକୁ ଇଣ୍ଡିଗୋକୁ କେନ୍ଦ୍ର ସରକାରଙ୍କ ଡେଡଲାଇନ
ନୂଆଦିଲ୍ଲୀ, ୩୧/୦୫: ପହଲଗାମ ଆକ୍ରମଣ ପରେ ଅପରେସନ ସିନ୍ଦୁର ସମୟରେ ତୁର୍କୀ ପାକିସ୍ତାନକୁ ସମର୍ଥନ କରିବା ପରେ ତୁର୍କୀକୁ କଡ଼ା ଜବାବ ଦେବା ପାଇଁ କେନ୍ଦ୍ର ସରକାର ଇଣ୍ଡିଗୋ ଏୟାରଲାଇନ୍ସକୁ ତୁର୍କୀ ଏୟାରଲାଇନ୍ସ ସହିତ ବିମାନ ଲିଜ୍ ଚୁକ୍ତିକୁ ତିନି ମାସ ମଧ୍ୟରେ ଶେଷ କରିବାକୁ କହିଛନ୍ତି।
ଦିଲ୍ଲୀ ସମେତ ଭାରତର ୯ଟି ପ୍ରମୁଖ ବିମାନବନ୍ଦରରେ କାର୍ଯ୍ୟର ତଦାରଖ କରୁଥିବା ତୁର୍କୀର ‘ସେଲେବି ଏଭିଏସନ୍’ କମ୍ପାନି ପାଇଁ କେନ୍ଦ୍ର ସରକାର ସୁରକ୍ଷା ମଞ୍ଜୁରୀ ପ୍ରତ୍ୟାହାର କରିବାର କିଛି ଦିନ ପରେ ପୁଣି ତୁର୍କୀ ଉପରେ ଆଉ ଏକ ବଡ଼ ଆକ୍ସନ ନେବାକୁ ଯାଉଛି ଭାରତ।
ତୁର୍କୀ ଏୟାରଲାଇନ୍ସଠାରୁ ଲିଜ୍ ରେ ନେଇଥିବା ଦୁଇଟି ବୋଇଂ ୭୭୭ ବିମାନ ଚଳାଉଥିବା ଇଣ୍ଡିଗୋକୁ ମେ ୩୧ ପର୍ଯ୍ୟନ୍ତ ଏହାକୁ ବ୍ୟବହାର କରିବାକୁ ଅନୁମତି ମିଳିଥିଲା। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ୬ ମାସର ଅବଧି ବୃଦ୍ଧି କରିବାକୁ ଏୟାରଲାଇନ୍ସ ଗୁଡ଼ିକ ଅନୁରୋଧ କରିଥିଲେ। ଡିଜିସିଏ ଶୁକ୍ରବାର ୬ ମାସ ଯାଏଁ ସମୟ ନ ଦେଇ ଅଗଷ୍ଟ ୩୧ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଯାତ୍ରୀଙ୍କୁ କୌଣସି ପ୍ରକାର ବାଧା ନ ଉପୁଜିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।