ମେଡିକାଲ ଓ ଚିକିତ୍ସା ସେବା କ୍ଷେତ୍ରରେ ଅଦଳବଦଳ କଲେ ରାଜ୍ୟ ସରକାର

ବଦଳିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ

ଭୁବନେଶ୍ୱର, ୩୧/୦୫: ଓଡ଼ିଶା ମେଡିକାଲ ଓ ଚିକିତ୍ସା ସେବା କ୍ଷେତ୍ରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁସାରେ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡାକ୍ତର ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ତାଙ୍କ ସ୍ଥାନରେ ବର୍ତ୍ତମାନ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ଦିଲ୍ଲୀପ କୁମାର ପଣ୍ଡାଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।

ସେହିପରି ୪ ଜଣ ମେଡିକାଲ ଅଫିସର ଡାକ୍ତର ଶଶିଭୂଷଣ ପଟେଲ, ଡାକ୍ତର ଦିଲ୍ଲୀପ କୁମାର ପଣ୍ଡା, ଡାକ୍ତର ରାଜଶ୍ରୀ ପଟ୍ଟନାୟକ, ଡାକ୍ତର ରୂପଭାନୁ ମିଶ୍ରଙ୍କୁ ଅବସର ପର୍ଯ୍ୟନ୍ତ ଏକ ବର୍ଷରୁ ଅଧିକ ସମୟ ପାଇଁ ପଦୋନ୍ନତି ଦେଇଛନ୍ତି।

ବର୍ତ୍ତମାନ ରାଉରକେଲା ସରକାରୀ ଡାକ୍ତରଖାନାର ଅଧୀକ୍ଷକ ଡାକ୍ତର ଶଶୀଭୂଷଣ ପଟେଲଙ୍କୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଏବଂ ସ୍ବତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରାଜଶ୍ରୀ ପଟ୍ଟନାୟକଙ୍କୁ ନର୍ସିଂ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରୂପଭାନୁ ମିଶ୍ରଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି।