ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପ୍-୨୦୨୫ରେ ରୌପ୍ୟ ଜିତିଲେ ଓଡ଼ିଶାର ଶ୍ରେଷ୍ଠ ଧାବିକା ଶ୍ରାବଣୀ ନନ୍ଦ ଓ ତାଙ୍କ ଦଳ
ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର, ୩୧/୦୫: ଦକ୍ଷିଣ କୋରିଆରେ ଚାଲିଥିବା ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପ୍-୨୦୨୫ରେ ଓଡ଼ିଶାର ଶ୍ରେଷ୍ଠ ଧାବିକା ଶ୍ରାବଣୀ ନନ୍ଦ ଓ ତାଙ୍କ ଦଳ ୪×୧୦୦ ମିଟର ରିଲେରେ ରୌପ୍ୟ ପଦକ ଜିତିଛନ୍ତି। ଓଡ଼ିଶାର କନ୍ଧମାଳ ଜିଲ୍ଲାର ବାସିନ୍ଦା ଶ୍ରାବଣୀ ନନ୍ଦ ୨୦୧୦ରେ ଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ୪×୧୦୦ ମିଟର ରିଲେ ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ୨୦୧୬ରେ ରିଓ ଅଲିମ୍ପିକ୍ସରେ ମହିଳା ୨୦୦ ମିଟର ବର୍ଗରେ ମଧ୍ୟ ସେ ଭାରତର ପ୍ରତିନିଧିତ୍ୱ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଧାବିକା ଶ୍ରାବଣୀ ନନ୍ଦ ଓ ତାଙ୍କ ଦଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଏକ୍ସରେ କହିଛନ୍ତି, “ଦକ୍ଷିଣ କୋରିଆର ଗୁମିରେ ଚାଲିଥିବା #AsianAthleticsChampionships ର ମହିଳା ୪ × ୧୦୦ ମିଟର ରିଲେ ରେସ୍ ରେ ରୌପ୍ୟ ପଦକ ଜିତିଥିବା ମହିଳା ଦଳକୁ ମୋର ଶୁଭେଚ୍ଛା। ଏଥିସହ ଦଳରେ ଥିବା ଓଡ଼ିଶା ମାଟିର ସୁକନ୍ୟା ଓଡ଼ିଆ ଧାବିକା ଶ୍ରାବଣୀ ନନ୍ଦଙ୍କୁ ମଧ୍ୟ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଆପଣଙ୍କର ଏହି ଉପଲବ୍ଧି ଓଡ଼ିଶା ପାଇଁ ନିଶ୍ଚୟ ଗର୍ବ ଓ ଗୌରବର ବିଷୟ। ଆପଣଙ୍କ ପରିଶ୍ରମ, ଅଦମ୍ୟ ଇଚ୍ଛାଶକ୍ତି ଏବଂ କ୍ରୀଡ଼ା ପ୍ରତି ଆଗ୍ରହ ଆଗାମୀ ପିଢ଼ିକୁ ପ୍ରେରଣା ଦେବ। ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଉତ୍ତରୋତ୍ତର ଉନ୍ନତି କାମନା କରୁଛି।”
ସୂଚନାଯୋଗ୍ୟ, ୨୦୨୫ ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନଶିପ୍ ଏସୀୟ ଆଥଲେଟିକ୍ସ ଚାମ୍ପିଅନସିପର ୨୬ତମ ସଂସ୍କରଣ ଥିଲା। ଏହା ୨୦୨୫ ମେ ୨୭ରୁ ୩୧ ପର୍ଯ୍ୟନ୍ତ ଦକ୍ଷିଣ କୋରିଆର ଗୁମିଠାରେ ଅନୁଷ୍ଠିତ ହୋଇଥିଲା। ୧୯୭୫ ଓ ୨୦୦୫ ସଂସ୍କରଣ ପରେ ଦକ୍ଷିଣ କୋରିଆ ତୃତୀୟ ଥର ପାଇଁ ଏହି ଚାମ୍ପିୟନଶିପ୍ ଆୟୋଜନ କରିଛି।