ପୃଥିବୀର ସବୁଠାରୁ ଭୋକିଲା ସ୍ଥାନ ହେଉଛି ଏଇ ସହର
ଦୁର୍ଭିକ୍ଷରେ ସମଗ୍ର ଜନସଂଖ୍ୟା
ଯେଉଁଠାରେ ୧୦୦% ଲୋକ ଭୋକିଲା: ଜାତିସଂଘ ଜାରି କଲା ରିପୋର୍ଟ
ନୂଆଦିଲ୍ଲୀ, ୦୧/୦୬: ପାଲେଷ୍ଟାଇନ ଉପରେ ଇସ୍ରାଏଲ ଆକ୍ରମଣ କରିବା ପରେ ସମ୍ପୂର୍ଣ୍ଣ ଛାରଖାର ହୋଇଯାଇଛି ଏହି ଦେଶ। ବିଶେଷ କରି ପାଲେଷ୍ଟାଇନର ରାଜା ସିଟି ବର୍ତ୍ତମାନ ଅତ୍ୟନ୍ତ ନିମ୍ନ ସ୍ତର ଦେଇ ଗତି କରୁଛି। ଯୁଦ୍ଧ ପରେ ଏଠାକାର ସ୍ଥିତି ନ କହିବା ଭଲ। ପ୍ରତ୍ୟେକ ବ୍ୟକ୍ତି ଖାଇବା, ପିଇବା, ରହିବା ଓ ପିନ୍ଧିବା ପାଇଁ ବହୁ ସଂଘର୍ଷ ଦେଇ ଗତି କରୁଛନ୍ତି। ଏବେ ଗାଜାକୁ ବିଶ୍ୱର ସବୁଠୁ ଦୁର୍ଭିକ୍ଷ ବା ଭୋକିଲାତମ ସ୍ଥାନ ବୋଲି ଘୋଷଣା କରିଛି ଜାତିସଂଘ।
ଗାଜା ବର୍ତ୍ତମାନ ପୃଥିବୀର ଏକମାତ୍ର ସ୍ଥାନ ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ଦୁର୍ଭିକ୍ଷର ଶିକାର ହେଉଛନ୍ତି। ମିଳିତ ଜାତିସଂଘର ମାନବିକତା ଏଜେନ୍ସି ଓସିଏଚ୍ଏର ମୁଖପାତ୍ର ଜେନ୍ସ ଲାର୍କେ ଶୁକ୍ରବାର କହିଛନ୍ତି, ଗାଜା ହେଉଛି ପୃଥିବୀର ସବୁଠାରୁ ଅଧିକ ଭୋକିଲା ସ୍ଥାନ। ଏହା ହେଉଛି ଏକମାତ୍ର ନିର୍ଦ୍ଦିଷ୍ଟ ଅଞ୍ଚଳ, ଯେଉଁଠାରେ ସମଗ୍ର ଜନସଂଖ୍ୟା ଦୁର୍ଭିକ୍ଷରେ ଅଛନ୍ତି। ଏଠାରେ ୧୦୦ ପ୍ରତିଶତ ଲୋକ ଦୁର୍ଭିକ୍ଷରେ ଅଛନ୍ତି।
ନିକଟରେ ଗାଜା ସିଟିରେ ଏକ ବଜାରରେ ଲୁଟ ପାଟ ଭଳି ପରିସ୍ଥିତିକୁ ଏଡାଇବା ପାଇଁ ନିୟୋଜିତ ୭ ଜଣ ପୋଲିସ ଅଧିକାରୀ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ମୃତ୍ୟୁ ବରଣ କରିଥିଲେ। ଇସ୍ରାଏଲ ଏ ପର୍ଯ୍ୟନ୍ତ ଏହି ଘଟଣା ଉପରେ ସିଧାସଳଖ କୌଣସି ମନ୍ତବ୍ୟ ଦେଇନାହିଁ। ତେବେ ଗାଜାରେ ଥିବା ଅନେକ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିଛି ବୋଲି ଗୁରୁବାର ଦିନ ଇସ୍ରାଏଲ କହିଛି। ସ୍ଥାନୀୟ ଡାକ୍ତରମାନେ କହିଛନ୍ତି ଯେ ସେଦିନ ଅତି କମରେ ୪୪ ଜଣଙ୍କ ମୃତ୍ୟୁ ଘଟିଥିଲା, ମୃତକଙ୍କ ମଧ୍ୟରେ କେବଳ ବୁରେଜ ଶରଣାର୍ଥୀ ଶିବିରରେ ୨୩ ଜଣ ଥିଲେ।
ଇସ୍ରାଏଲ ଆକ୍ରମଣ ଜାରି ରଖିଥିବାରୁ ଏବଂ ସହାୟତା ସୀମିତ ରହିଥିବାରୁ ଗାଜା ସିଟିରେ ବିଶୃଙ୍ଖଳା ବଢିବାରେ ଲାଗିଛି। ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫପି) ବୁଧବାର ରିପୋର୍ଟ କରିଛି ଯେ ଦୈର ଅଲ-ବାଲାହରେ ଥିବା ଏହାର ଗୋଦାମକୁ ପ୍ରବଳ ଭିଡ଼ ଭିତରେ ଭୋକରେ ଆଉଟୁପାଉଟୁ ଥିବା ଲୋକମାନେ ଭାଙ୍ଗି ଦେଇଛନ୍ତି। ଏହି ସମୟରେ ଦୁଇ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ମିଳିଛି।
ଆମେରିକା ଏବଂ ଇସ୍ରାଏଲ ସହାୟତାରେ ଗାଜା ହ୍ୟୁମାନିଟାରିଆନ୍ ଫାଉଣ୍ଡେସନ୍ (ଜିଏଚଏଫ) ରାଫାରେ ଏକ ନୂତନ ବିତରଣ କେନ୍ଦ୍ର ଖୋଲିବା ବେଳେ ହଜାର ହଜାର ଲୋକ ଗେଟ୍ ପାଖରେ ଭିଡ ଜମାଇଥିଲେ। ଘଟଣାସ୍ଥଳରେ ପ୍ରବଳ ଭିଡ଼ ହେବାରୁ ଦଳାଚକଟାରେ ପାଖାପାଖି ୫୦ ଜଣ ଆହତ ହୋଇଥିବା ସୂଚନା ମିଳିଛି।
ଗୁରୁବାରର ଏକ ଦୃଶ୍ୟରେ ଦେଖିବାକୁ ମିଳିଛି ଯେ ଲମ୍ବା ଧାଡ଼ିରେ ଲୋକମାନେ ପିଠିରେ ଅଟା ବସ୍ତା ବୋହି ନେଉଛନ୍ତି। କିଛି ମହିଳା ସାଙ୍ଗରେ ଖାଇବା ନେଇ ଯାଉଥିବା ବେଳେ ଆଉ କିଛି ନ ପାଇ ଫେରି ଯାଉଛନ୍ତି। ଏହାରି ମଧ୍ୟରେ ଜଣେ ବ୍ୟକ୍ତି କହିଛନ୍ତି “ମୁଁ ମୋ ପିଲାମାନଙ୍କ ଖାଇବା ପାଇଁ ମଇଳା ନେଇଯିବି,” ଆଉ ଜଣେ ବ୍ୟକ୍ତି କିଛି ଖାଦ୍ୟ ନ ପାଇ ଫେରି ଯାଇଥିଲେ। “କିଛି ଲୋକ ଖାଆନ୍ତି ଏବଂ କିଛି ଲୋକ ଖାଆନ୍ତି ନାହିଁ।” ବୋଲି ସେ କହିଛନ୍ତି।
ଜିଏଚଏଫ କହିଛି ଯେ ଗୁରୁବାର ସେମାନେ ୧୭,୨୮୦ ଟି ଖାଦ୍ୟ ପ୍ୟାକେଟ ବଣ୍ଟନ କରିଛନ୍ତି, ଯାହା କି ପାଖାପାଖି ୧୦ ଲକ୍ଷ ଲୋକଙ୍କ ଖାଦ୍ୟ ସହିତ ସମାନ। ତେଣୁ ଉତ୍ତର ଗାଜା ସମେତ ଅନ୍ୟାନ୍ୟ ଅଞ୍ଚଳରେ ଆଗାମୀ ସପ୍ତାହରେ ଆହୁରି ଅଧିକ ସାଇଟ୍ ଖୋଲିବାକୁ ଯୋଜନା ରଖିଛି।
ତେବେ ଜାତିସଂଘ ଜିଏଚଏଫ ବ୍ୟବସ୍ଥାକୁ ଅନୈତିକ ଓ ପର୍ଯ୍ୟାପ୍ତ ବୋଲି ଦର୍ଶାଇ ଏହାକୁ କାମ କରିବାକୁ ମନା କରିଦେଇଛି।
ଗାଜାରେ ଜାତିସଂଘ ମାନବୀୟ କାର୍ଯ୍ୟାଳୟର ମୁଖ୍ୟ ଜୋନାଥନ ହ୍ୱିଟଲ କହିଛନ୍ତି ଯେ ଜିଏଚଏଫର ସେଠାରେ ରହୁଥିବା ୨.୧ ନିୟୁତ ଲୋକଙ୍କ ଆବଶ୍ୟକତା ପୂରଣ କରିପାରିବ ନାହିଁ।
ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଆକ୍ରମଣ ଆରମ୍ଭ ହେବା ଦିନ ଠାରୁ ଏବେ ଯାଏଁ ୫୪,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ମାର୍ଚ୍ଚ ମାସରୁ ଏବେ ଯାଏଁ ୪୦୦୦ ଲୋକ ପ୍ରାଣ ହରାଇଲେଣି। ଅନ୍ୟପଟେ ଯୁଦ୍ଧକୁ ସୀମିତ ସମୟ ପାଇଁ ବନ୍ଦ ରଖିବାକୁ ୬୦ ଦିନର ଅସ୍ତ୍ରବିରତି ଚୁକ୍ତି ସ୍ବାକ୍ଷରିତ କରିବାକୁ ଇସ୍ରାଏଲ ଯୋଜନା କରୁଥିବା ସୂଚନା ମିଳିଛି।