ପ୍ରତି ଜିଲ୍ଲା ପାଇଁ ଭୁବନେଶ୍ୱରରେ ହେବ ଗେଷ୍ଟ ହାଉସ

ସ୍ୱଳ୍ପ ସମୟ ପାଇଁ ଆସୁଥିବା ଲୋକଙ୍କୁ ଦେବ ରହିବା ସୁବିଧା

ଭୁବନେଶ୍ୱର, ୦୮/୦୬: ରାଜ୍ୟର ଅନ୍ୟ ଜିଲ୍ଲାରୁ ଭୁବନେଶ୍ୱରକୁ ଆସୁଥିବା ଲୋକଙ୍କ ପାଇଁ ଗେଷ୍ଟ ହାଉସ ତିଆରି କରିବେ ରାଜ୍ୟ ସରକାର। ଲୋକଙ୍କ ରହିବା ସମସ୍ୟାକୁ ଦୂର କରିବା ଉଦ୍ଦେଶ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ରବିବାର ଘୋଷଣା କରିଛନ୍ତି ଯେ ରାଜ୍ୟ ସରକାର ରାଜଧାନୀରେ ୩୦ଟି ଜିଲ୍ଲା ପାଇଁ ଗେଷ୍ଟ ହାଉସ୍ ନିର୍ମାଣ କରିବେ। ପ୍ରତି ଜିଲ୍ଲା ପାଇଁ ୧୦୦ କୋଠାରୀ ବିଶିଷ୍ଟ ଗେଷ୍ଟ୍‌ ହାଉସ୍‌ ହେବ। ୩୦ ଜିଲ୍ଲା ପାଇଁ ୩୦୦୦ କୋଠରି। ପ୍ରତି ଜିଲ୍ଲା ନାଆଁରେ ଏହାକୁ ନାମିତ କରାଯିବ।

ସ୍ୱଳ୍ପ ସମୟ ପାଇଁ ଭୁବନେଶ୍ୱର ଆସୁଥିବା ଲୋକ ହୋଟେଲ ଏବଂ ଲଜ୍ ରେ ରହିବା ପାଇଁ ବିପୁଳ ପରିମାଣର ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି। ବିଶେଷକରି ଗ୍ରାମୀଣ ଏବଂ ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ଏହା ଅନେକ ସମୟରେ ଆର୍ଥିକ ଚାପ ସୃଷ୍ଟି କରିଥାଏ। ତେଣୁ ଏହି ଗେଷ୍ଟ ହାଉସ୍ ସେମାନଙ୍କୁ ସୁଲଭ ଓ ସୁବିଧାରେ ରହିବାର ସୁବିଧା ସୁଯୋଗ ପ୍ରଦାନ କରିବ ବୋଲି ମନ୍ତ୍ରୀ କହିଛନ୍ତି।