ଗୁଜରାଟ ପ୍ଲେନ କ୍ରାସ: ବିମାନରେ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ

୫୩ ବ୍ରିଟିଶ ନାଗରିକଙ୍କ ସମେତ ଅନେକ ବିଦେଶୀ ନାଗରିକ ଥିଲେ

ନୂଆଦିଲ୍ଲୀ, ୧୨/୦୬: ଅହମ୍ମଦାବାଦର ମେଘାନୀ ନଗରରେ ଆଜି ଘଟିଥିବା ବିମାନ ଦୁର୍ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ବେଳେ ଏହି ଦୁର୍ଘଟଣା ସମ୍ପର୍କିତ ଏକ ବଡ଼ ସୂଚନା ମିଳିଛି। ଏୟାର ଇଣ୍ଡିଆ ବିମାନ AI 171ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମଧ୍ୟ ଥିଲେ। ସୂଚନା ମୁତାବକ, ସେ ତାଙ୍କ ଝିଅଙ୍କୁ ଦେଖା କରିବାକୁ ଲଣ୍ଡନ ଯାଉଥିଲେ।

ଜୁନ୍ ୧୨ ତାରିଖ ଅପରାହ୍ନ ୧ଟା ୩୮ରେ ଅହମ୍ମଦାବାଦରୁ ଉଡ଼ାଣ ଭରିବାର ମାତ୍ର ୫ ମିନିଟ୍ ପରେ ବୋଇଂ ୭୮୭ ଡ୍ରିମଲାଇନ ଦ୍ୱାରା ପରିଚାଳିତ ବିମାନଟି ମେଘାନୀ ନଗରର ଏକ ଆବାସିକ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୨ ଜଣ ଜଣ କ୍ରୁ ମେମ୍ବରଙ୍କ ସମେତ ୨୪୨ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୬୯ ଜଣ ଭାରତୀୟ ନାଗରିକ, ୫୩ ଜଣ ବ୍ରିଟିଶ ନାଗରିକ, ଜଣେ କାନାଡାର ନାଗରିକ ଏବଂ ୭ ଜଣ ପର୍ତ୍ତୁଗିଜ ନାଗରିକ ଅଛନ୍ତି।

୨୦୧୬ରୁ ୨୦୨୧ ସେପ୍ଟେମ୍ବର ଯାଏଁ ବିଜୟ ରୂପାନୀ ଗୁଜରାଟ ମୁଖ୍ୟମନ୍ତ୍ରୀ ରହିଥିଲେ। ଏହା ପୂର୍ବରୁ ୧୯୯୬ରୁ ୧୯୯୭ ଯାଏଁ ରାଜକୋଟ ମେୟର, ୨୦୦୬ରୁ ୨୦୧୨ ଯାଏଁ ରାଜ୍ୟସଭା ସାଂସଦ, ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଗୁଜୁରାଟ ବିଜେପି ସଭାପତି ରହିଥିଲେ।