ପ୍ରତିଶୋଧର ନିଆଁ: ମାଓବାଦୀଙ୍କ ବର୍ବର କାଣ୍ଡ

୩ ଜଣଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ, ୧୦ ଜଣଙ୍କୁ ଅପହରଣ

ବିଜାପୁର, ୧୮/୦୬: ମାଓବାଦୀମାନେ ଭିଆଇଛନ୍ତି ବର୍ବରୋଚିତ କାଣ୍ଡ। ପ୍ରତିଶୋଧ ନିଆଁରେ ଜଳୁଛନ୍ତି। ଲୋକଙ୍କ ମନରେ ଭୟ ଦେଖାଇବାକୁ ନୀରିହ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରୁଛନ୍ତି। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରେ ନକ୍ସଲମାନେ ୩ ଜଣ ସ୍ଥାନୀୟ ଲୋକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଉକ୍ତ ଲୋକଙ୍କ ଗଳା କାଟି ହତ୍ୟା କରିଛନ୍ତି।

ପୋଲିସ ଇନଫର୍ମର ସନ୍ଦେହରେ ଆତ୍ମସମର୍ପଣ କରିଥିବା ଦୁଇ ଜଣ ମାଓବାଦୀଙ୍କ ପରିବାର ସଦସ୍ୟଙ୍କ ସମେତ ୧୦ ଜଣଙ୍କୁ ଅପହରଣ କରି ନେଇଥିଲେ। ୩ ଜଣଙ୍କୁ ହତ୍ୟା କରିବା ସହ ୭ ଜଣଙ୍କୁ ନିର୍ମମ ଭାବେ ମାଡ ମାରିଛନ୍ତି। ଗୁରୁତର ଅବସ୍ଥାରେ ଉକ୍ତ ୭ ଜଣଙ୍କୁ ଉଦ୍ଧାର କରାଯାଇଛି।

ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ପାଇଁ ନକ୍ସଲମାନେ ଏପରି କରିଛନ୍ତି ବୋଲି ବୋଲି ଜଣାପଡିଛି। ପୁଲିସ ଘଟଣାର ପୁଙ୍ଖାନୁପୁଙ୍ଖ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।

ଛତିଶଗଡ଼ର ଏକାଧିକ ଅଞ୍ଚଳ ମାଓ ପ୍ରବଣ ହୋଇଥିବା ବେଳେ ସେଠାରେ ମାଓବାଦୀଙ୍କ ଦମନ ପାଇଁ ସୁରକ୍ଷାକର୍ମୀଙ୍କ ଜୋରଦାର ଅପରେସନ ବେଳେ ମାଓବାଦୀମାନେ ଏପରି କାଣ୍ଡ ଭିଆଇଛନ୍ତି।

୨୦୨୬ ମାର୍ଚ୍ଚ ସୁଦ୍ଧା ଦେଶକୁ ମାଓ ମୁକ୍ତ କରିବାକୁ ଭାରତ ସରକାରଙ୍କ ଆହ୍ୱାନ ଥିବା ବେଳେ ୨୦୨୩ରୁ ୨୦୨୫ ଜୁନ୍ ୯ ମଧ୍ୟରେ ବସ୍ତର ରେଞ୍ଜରେ ସୁରକ୍ଷାବାହିନୀ ପକ୍ଷରୁ ୨୫୩ଟି ଏନକାଉଣ୍ଟର ହୋଇଛି, ଯେଉଁଥିରେ ୪୨୯ ଜଣ ମାଓବାଦୀ ନିହତ ହୋଇଛନ୍ତି। ମୋଟ ୧୮୧୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ଏବଂ ଗିରଫ ହୋଇଛନ୍ତି। ୯୧୬ଟି ଆଇଇଡି ଓ ୬୦୬ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।