ନୂଆଦିଲ୍ଲୀ, ୨୫/୦୬: ଆଜି ଫ୍ଲୋରିଡାର କେନେଡି ସ୍ପେସ ସେଣ୍ଟରରୁ ସଫଳତାର ସହ ଆକ୍ସିଅମ-୪ ଲଞ୍ଚ ହେବା ପରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଛୁଟୁଛି ଅଭିନନ୍ଦନର ସୁଅ। ଏ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଶୁଭାଂଶୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାକାଶଚାରୀ ଟିମ ପାଇଁ ନିରାପଦ ଏବଂ ସଫଳ ଯାତ୍ରା କାମନା କରିଛନ୍ତି, ଏହି ସଫଳତା ଦେଶ ପାଇଁ ଗର୍ବ ବୋଲି ସେ କହିଛନ୍ତି। ଏକ ସୋସିଆଲ ମିଡିଆ ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଭାରତୀୟ ବାୟୁସେନା ଅଧିକାରୀ ଏହି ସମ୍ମାନଜନକ ମିଶନରେ ଗ୍ରୁପ୍ କ୍ୟାପ୍ଟେନ୍ ଭୂମିକା ନିର୍ବାହ କରିଥିବାରୁ ପ୍ରଶଂସା କରିବା ସହ ତାଙ୍କର ଏହି ସଫଳତା ସାରା ଦେଶର ଅଗଣିତ ଯୁବ ମନକୁ ପ୍ରେରଣା ଦେବ ବୋଲି କହିଛନ୍ତି।
ସେହିପରି ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ମଧ୍ୟ ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି, କହିଛନ୍ତି ଯେ ଆକ୍ସିଅମ୍-୪ ମିଶନରେ ତାଙ୍କର ସାମିଲ ହେବା ଏକ ସମ୍ମାନଜନକ ବିଷୟ। ତାଙ୍କ ସଫଳତା ଯୁବ ଭାରତୀୟଙ୍କୁ ସାହସ ଯୋଗାଇବ।
ସୂଚନାଯୋଗ୍ୟ, ବୁଧବାର ଦିନ ଆମେରିକାର ଫ୍ଲୋରିଡାର କେନେଡି ସ୍ପେସ ସେଣ୍ଟରର ଲଞ୍ଚ କମ୍ପ୍ଲେକ୍ସ ୩୯ଏରୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କ ସହ ଆମେରିକା, ହଙ୍ଗେରୀ ଓ ପୋଲାଣ୍ଡର ମହାକାଶଚାରୀ ଅଛନ୍ତି। ୪୧ ବର୍ଷ ପରେ ଏହା ପ୍ରଥମ ଭାରତୀୟଙ୍କ ମହାକାଶ ଯାତ୍ରା। ୧୯୮୪ ମସିହାରେ ରାକେଶ ଶର୍ମାଙ୍କ ମହାକାଶ ଯାତ୍ରା ପରେ ଶୁଭାଂଶୁ ଦ୍ୱିତୀୟ ଭାରତୀୟ ଭାବେ ଏହି ଇତିହାସ ରଚିଛନ୍ତି।