ଭିଡ଼ିଓ କଲରେ ସୁରକ୍ଷାକର୍ମୀଙ୍କ ଅପିଲକୁ ମାନିଲାନି ଲତିଫ, ଏନକାଉଣ୍ଟରରେ ଟଳିଲା
ମସଜିଦ୍ରେ ଲୁଚିଥିବା ବେଳେ ଏନ୍କାଉଣ୍ଟର
ଶ୍ରୀନଗର, ୧୮/୧୧: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। କୁଲଗାମ ଜିଲ୍ଲାରେ ଲସ୍କର-ଏ-ତୋଏବା (LeT)ର ଶୀର୍ଷ କମାଣ୍ଡର ଲତିଫ ଭଟ୍ଟକୁ ଏନ୍କାଉଣ୍ଟରରେ ନିପାତ କରାଯାଇଛି। ଦକ୍ଷିଣ କଶ୍ମୀରର ଜାଙ୍ଗଲପୋରା ଅଞ୍ଚଳର ଏକ ମସଜିଦ୍ରେ ଲୁଚି ରହିଥିବା ବେଳେ ସୁରକ୍ଷାକର୍ମୀଙ୍କ ସହ ତାର ଗୁଳିବିନିମୟ ହୋଇଥିଲା। ଆତ୍ମସମର୍ପଣ ପାଇଁ ପୁଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବାରମ୍ବାର ଅପିଲ୍ କରାଯାଇଥିଲେ ମଧ୍ୟ ସେ ରାଜି ନହେବାରୁ ଶେଷରେ ଏହି ଏନ୍କାଉଣ୍ଟର ହୋଇଥିଲା।
କୁଲଗାମର ଏସ୍ଏସ୍ପି ଅନାୟତ ଅଲୀଙ୍କ ସୂଚନା ଅନୁଯାୟୀ, ଗୁଇନ୍ଦା ସୂଚନା ଆଧାରରେ ଜାଙ୍ଗଲପୋରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଥିଲା। ଏହି ସମୟରେ ଲତିଫ ଭଟ୍ଟକୁ ଘେରାବନ୍ଦୀ କରାଯାଇଥିଲା। ତାକୁ ଆତ୍ମସମର୍ପଣ କରିବାକୁ ପୁଲିସ ଅଧିକାରୀମାନେ ଭିଡିଓ କଲ୍ ମାଧ୍ୟମରେ ମଧ୍ୟ ବୁଝାଇଥିଲେ। ଏପରିକି ତାକୁ ଜୀବନର ନୂଆ ସୁଯୋଗ ନେବାକୁ ଅପିଲ୍ କରାଯାଇଥିଲା। ମାତ୍ର ସେ ଆତ୍ମସମର୍ପଣ କରିବାକୁ ରାଜି ହୋଇନଥିଲା। ପରେ ଏକ ମସଜିଦ୍ ଭିତରେ ଆଶ୍ରୟ ନେଇଥିବା ବେଳେ ଗୁଳିବିନିମୟ ହୋଇଥିଲା। ଧାର୍ମିକ ସ୍ଥଳର କ୍ଷତି ଯେପରି ନହୁଏ, ସେଥିପାଇଁ ସୁରକ୍ଷାକର୍ମୀ ସଂଯମତା ଅବଲମ୍ବନ କରିଥିବା ପୁଲିସ କହିଛି।
ସୂଚନାଯୋଗ୍ୟ, ନଭେମ୍ବର ୧୧ ତାରିଖରେ କୁଲଗାମର ଆଖରନ୍ ଅଞ୍ଚଳରେ ଥିବା ସିଆରପିଏଫ ଚେକ୍ପୋଷ୍ଟ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ତିନି ଜଣ ସିଆରପିଏଫ ଯବାନ ଆହତ ହୋଇଥିଲେ। ପୁଲିସର ତଦନ୍ତ ଅନୁଯାୟୀ, ଏହି ଆକ୍ରମଣ ପୂର୍ବରୁ ଲତିଫ ଭଟ୍ଟ ଓ ତାର ସହଯୋଗୀ ଉମର ନିସାର ଡାର୍ ବିଭିନ୍ନ ସ୍ଥାନରେ ବୁଲି ସୁରକ୍ଷାକର୍ମୀଙ୍କ ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ସିସିଟିଭି ଫୁଟେଜ୍ରୁ ମଧ୍ୟ ଉଭୟଙ୍କ ଗତିବିଧି ସମ୍ପର୍କରେ ସୂଚନା ମିଳିଥିବା ପୁଲିସ କହିଛି।
ଏହା ପୂର୍ବରୁ ସୋମବାର କୁଲଗାମର ଲାରୁ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ଏନ୍କାଉଣ୍ଟରରେ ଲତିଫର ସହଯୋଗୀ ଉମର ନିସାର ଡାର୍ ନିହତ ହୋଇଥିଲା। ଏହାପରେ ଲତିଫକୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ତଲାସୀ ଅଭିଯାନ ଜାରି ରହିଥିଲା। ଶେଷରେ ବୁଧବାର ତାକୁ ନିପାତ କରାଯାଇଛି।
ପୁଲିସର ସୂଚନା ଅନୁଯାୟୀ, ଲତିଫ ଭଟ୍ଟ ଚଳିତ ବର୍ଷ ଅନନ୍ତନାଗ ଓ କୁଲଗାମରେ ଘଟିଥିବା ଅନ୍ୟ କେତେକ ଆକ୍ରମଣ ଘଟଣାରେ ମଧ୍ୟ ଅଭିଯୁକ୍ତ ଥିଲା। ତାର ନିପାତକୁ ଦକ୍ଷିଣ କଶ୍ମୀରରେ ଆତଙ୍କବାଦୀ ନେଟୱର୍କ ବିରୋଧରେ ସୁରକ୍ଷାବାହିନୀର ଏକ ବଡ଼ ସଫଳତା ଭାବେ ଦେଖାଯାଉଛି।