ଜାଣନ୍ତୁ ଶୁଭାଂଶୁ ଶୁକ୍ଳାଙ୍କ ବିଷୟରେ କିଛି ଅଜଣା ତଥ୍ୟ

ତାଙ୍କ ମହାକାଶ ଯାତ୍ରା ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛି ଭାରତ

ନୂଆଦିଲ୍ଲୀ, ୨୫/୦୬: ଆକ୍ସିଅମ-୪ ମିଶନ ଏକ ଘରୋଇ ମହାକାଶ ମିଶନ। ନାସା, ସ୍ପେସଏକ୍ସ, ଇସ୍ରୋ ଓ ଆକ୍ସିଅମ ସ୍ପେସର ଏକ ମିଳିତ ମିଶନ। ଏହି ମିଶନର ଗ୍ରୁପ କ୍ୟାପଟେନ ହେଉଛନ୍ତି ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା। ଶୁଭାଂଶୁ ଶୁକ୍ଳା ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାଇ ଭାରତ ପାଇଁ ରଚିଛନ୍ତି ଇତିହାସ।
୪୧ ବର୍ଷ ପରେ ମହାକାଶରେ ଭାରତକୁ ପ୍ରତିନିଧ୍ୱ କରିବେ ଶୁଭାଂଶୁ। ରାକେଶ ଶର୍ମାଙ୍କ ପରେ ବନିଛନ୍ତି ଦ୍ଵିତୀୟ ଭାରତୀୟ ମହାକାଶଚାରୀ, ଯିଏ ମହାକାଶକୁ ଯାଇଛନ୍ତି। ପ୍ରଥମ ଭାରତୀୟ ଭାବେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନକୁ ଯାତ୍ରା କରିଛନ୍ତି।ଜାଣନ୍ତୁ ଭାରତର ଏହି ମହାକାଶଚାରୀଙ୍କ ବିଷୟରେ ସବିଶେଷ ତଥ୍ୟ:-
୧୯୮୫ ମସିହା ଅକ୍ଟୋବର ୧୦ରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଜନ୍ମ ଗ୍ରହଣ କରିଛନ୍ତି ଶୁଭାଂଶୁ। ଶୁଭାଂଶୁ ତାଙ୍କ ସ୍କୁଲ ସାଙ୍ଗ ଡ଼ଃ କାମନା ମିଶ୍ରଙ୍କୁ ବିବାହ କରିଛନ୍ତି, ଯିଏ କି ଜଣେ ଦନ୍ତ ଚିକିତ୍ସକ। ଶୁଭାଂଶୁ ଲକ୍ଷ୍ନୌର ସିଟି ମଣ୍ଟେଶୋରି ସ୍କୁଲରେ ବିଦ୍ୟାଳୟ ଶିକ୍ଷା ପରେ ପୁଣେର ଜାତୀୟ ପ୍ରତିରକ୍ଷା ଏକାଡେମୀ (NDA)ରୁ ସ୍ନାତକ ଏବଂ ପ୍ରଯୁକ୍ତିବିଦ୍ୟାରେ ସ୍ନାତକ (B.Tech.) ଡିଗ୍ରୀ ହାସଲ କରିଥିଲେ। ପରେ ସେ ବାଙ୍ଗାଲୋରର ଭାରତୀୟ ବିଜ୍ଞାନ ସଂସ୍ଥାନ (IISc)ରୁ ପ୍ରଯୁକ୍ତିବିଦ୍ୟାରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ।
ଏହା ପରେ ସେ ୨୦୦୬ରେ ବାୟୁସେନାରେ ଯୋଗ ଦେଇଥିଲେ। କମ୍ବାଟ୍ ଲିଡର୍ ଓ ଟେଷ୍ଟ୍ ପାଇଲଟ୍ ଭାବେ ୨ ହଜାର ଘଣ୍ଟାର ବିମାନ ଭଡ଼ାଣ ଅଭିଜ୍ଞତା ସେ ହାସଲ କରିଛନ୍ତି। ସୁଖୋଇ-30 MKI, ମିଗ୍-21 ଓ 29, ଜାଗୁଆର୍, ହକ୍, ଡୋର୍ନିଅର୍, AN-32 ଉଡ଼ାଇଛନ୍ତି। ମାର୍ଚ୍ଚ ୨୦୨୪ରେ ଗ୍ରୁପ୍ କ୍ୟାପଟେନ୍ ଭାବେ ଭାରତୀୟ ବାୟୁସେନାରେ ପଦୋନ୍ନତି ପାଇଥିଲେ।
ଇସ୍ରୋର ଗଗନଯାନ ମିଶନ୍ ପାଇଁ ମହାକାଶଚାରୀ ଭାବେ ଚୟନ ହୋଇଛନ୍ତି ଶୁଭାଂଶୁ। ୨୦୧୯ରେ ଇସ୍ରୋ ଦ୍ୱାରା ଚୟନ ପରେ ରୁଷର ୟୁରି ଗାଗାରିନ କସମୋନଟ ଟ୍ରେନିଂ ସେଣ୍ଟରରେ ମହାକାଶଚାରୀ ଭାବେ ଟ୍ରେନିଂ ନେଇଥିଲେ। ୨୦୨୪ରେ ଶୁଭାଂଶୁଙ୍କ ସମେତ ୩ ଗଗନଯାତ୍ରୀଙ୍କ ନାଁ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦୨୪ରେ ତାଙ୍କୁ ଆକ୍ସିଅମ୍ ସ୍ପେସ୍, ନାସା ଏବଂ ସ୍ପେସ୍ଏକ୍ସର ମିଳିତ ମିଶନ, ଆକ୍ସିଅମ୍ ୪ ମିଶନ ପାଇଁ ପାଇଲଟ୍ ଭାବରେ ମନୋନୀତ କରାଯାଇଥିଲା।
ଏହା ପରେ ସେ ପ୍ରଥମ ଭାରତୀୟ ମହାକାଶଚାରୀ ଭାବେ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯାତ୍ରା କରିଛନ୍ତି। ଏହି ମିଶନରେ ଶୁଭାଂଶୁ ଶୁକ୍ଳାଙ୍କ କଲ୍ ସାଇନ୍ ବା ଡାକ ନାଁ ରହିଛି ‘ସୁକ୍’। ସେ ସ୍ପେସ ଷ୍ଟେସନରେ ୧୪ ଦିନ ରହି ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବେ। ମହାକାଶରେ ଗାଜର ଓ ମୁଗଢାଲି ହାଲୱା ଖାଇବେ, ଆମ୍ଭରସ ପିଇବେ। ୨୦୨୭ରେ ହେବାକୁ ଥିବା ଗଗନଯାନ ଓ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ପାଇଁ ଅଭିଜ୍ଞତା ସାଉଁଟିବେ।
ଭାରତ ସରକାର ଆକ୍ସିଅମ-୪ ମିଶନ ପାଇଁ ୫୪୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ଖର୍ଚ୍ଚରେ NASA ଏବଂ Axiom ସହିତ ମହାକାଶଚାରୀ ତାଲିମ, ଲଞ୍ଚ ଲଜିଷ୍ଟିକ୍ସ ଏବଂ ISS କୁ ଯାତ୍ରା, ମିଶନ ସମୟରେ ରହଣି, ଏବଂ କକ୍ଷପଥରେ ଗବେଷଣା ଏବଂ ବୈଜ୍ଞାନିକ ପରୀକ୍ଷଣ ଅନ୍ତର୍ଭୁକ୍ତ। ତେବେ ଶୁଭାଂଶୁଙ୍କୁ ଏହି ମିଶନ ପାଇଁ କୌଣସି ଦରମା ମିଳିବ ନାହିଁ।