ତେଲେଙ୍ଗାନା ବିସ୍ଫୋରଣ: ମୃତ ଓଡ଼ିଆଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ସହାୟତା

ଭୁବନେଶ୍ୱର, ୦୪/୦୭: ସୋମବାର ଦିନ ତେଲେଙ୍ଗାନାର ପଶାମିଲାରାମରେ ସିଗାଚ୍ଛି କେମିକାଲ ଫ୍ୟାକ୍ଟ୍ରିରେ ଏକ ଭୟଙ୍କର ବିସ୍ଫୋରଣରେ ପ୍ରାଣ ହରାଇଥିବା ଓଡ଼ିଶାର ଶ୍ରମିକଙ୍କ ପରିବାର ସଦସ୍ୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି।

ଏହା ସହିତ, ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ଏକ ଟିମ୍ ଦୁର୍ଘଟଣା ସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ଉଦ୍ଧାର ଓ ଚିକିତ୍ସା ସହାୟତା ତଦାରଖ କରୁଛନ୍ତି।

ଏପର୍ଯ୍ୟନ୍ତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୮ ଜଣ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣ ଗଞ୍ଜାମ ଜିଲ୍ଲାର, ୨ ଜଣ ନବରଙ୍ଗପୁର ଜିଲ୍ଲାର ଏବଂ କଟକ ବାଲେଶ୍ଵର ଓ ଯାଜପୁରରୁ ଜଣେ ଲେଖାଏଁ ଅଛନ୍ତି। ମୃତକମାନେ ହେଲେ – ଛତ୍ରପୁର, ଗଞ୍ଜାମର ରାଜନାଲା ଜଗନ ମୋହନ; ତିଗିରିଆ, କଟକର ଲଗ୍ନଜିତ ଦୁଆରୀ; ସିମୁଲିଆ, ବାଲେଶ୍ୱରର ମନୋଜ ରାଉତ; ଧର୍ମଶାଳା, ଯାଜପୁରର ଦୋଳଗୋବିନ୍ଦ ସାହୁ; ନବରଙ୍ଗପୁରର ରମେଶ ଗୌଡ଼ ଓ ଚଇତୁ ଭତ୍ରା, ମହାନନ୍ଦପୁର, ଗଞ୍ଜାମର ସିଦ୍ଧାର୍ଥ ଗୌଡ଼; ବ୍ରହ୍ମପୁର, ଗଞ୍ଜାମର ପ୍ରଶାନ୍ତ ମହାପାତ୍ର।

ଜୁନ୍ ୩୦ ସକାଳେ ବିସ୍ଫୋରଣ ହେବା ସମୟରେ ସମସ୍ତେ କାରଖାନାରେ କାମ କରୁଥିଲେ। ତେଲେଙ୍ଗାନାର ସାଙ୍ଗାରେଡି ଜିଲ୍ଲାର ପଶାମିଲାରାମ ଶିଳ୍ପାଞ୍ଚଳରେ ଥିବା ସିଗାଚ୍ଛି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯେଉଁଥିରେ ୩୬ ଜଣ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ। ଏପର୍ଯ୍ୟନ୍ତ ମୃତକଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି।