ଅବସର ପରେ ବି ସରକାରୀ ବାସଭବନ ଛାଡ଼ି ନାହାନ୍ତି ଜଷ୍ଟିସ ଚନ୍ଦ୍ରଚୂଡ
କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ, ୦୬/୦୭: ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ଅବସର ପରେ ବି ସରକାରୀ ବାସଭବନକୁ ଖାଲି କରିନାହାନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କ ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଚିଠି ଲେଖି ତୁରନ୍ତ ଘର ଖାଲି କରିବାକୁ ଅନୁରୋଧ କରିଛି ସୁପ୍ରିମକୋର୍ଟ ପ୍ରଶାସନ। ବଙ୍ଗଳା ନମ୍ବର ୫, କୃଷ୍ଣ ମେନନ୍ ମାର୍ଗ ଖାଲି କରିବା ପାଇଁ ଅନୁରୋଧ କରାଯାଇଛି।
୨୦୨୨ ସୁପ୍ରିମକୋର୍ଟ ବିଚାରପତି ନିୟମର ନିୟମ 3B ଅନୁଯାୟୀ, ଜଣେ ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଅବସର ପରେ ଛଅ ମାସ ପର୍ଯ୍ୟନ୍ତ ସରକାରୀ ବାସଭବନରେ ରହିପାରିବେ। ଜଷ୍ଟିସ ଚନ୍ଦ୍ରଚୂଡ ୫ ନଭେମ୍ବର ୨୦୨୪ରେ ଅବସର ଗ୍ରହଣ କରିଥିଲେ। ଯେଉଁ ୬ ମାସର ଅବଧି ୧୦ ମେ ୨୦୨୫ ପର୍ଯ୍ୟନ୍ତ ଥିଲା। ହେଲେ, ବଙ୍ଗଳା ନମ୍ବର ୫, କୃଷ୍ଣ ମେନନ୍ ମାର୍ଗରେ ୩୦ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ରହିବାକୁ ଅନୁମତି ମାଗିଥିଲେ ଜଷ୍ଟିସ ଚନ୍ଦ୍ରଚୂଡ। କିନ୍ତୁ ତା’ପରେ ବି ବାସଭବନ ଖାଲି ନ କରିବାରୁ ୩୧ ମେ ୨୦୨୫ ପର୍ଯ୍ୟନ୍ତ ରହିବା ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଅନୁମତି ମିଳିଥିଲା। ନୂତନ ବିଚାରପତି ମାନଙ୍କୁ ବାସଭବନ ଆବଣ୍ଟନରେ ସମସ୍ୟା ଉପୁଜୁଥିବାରୁ ତୁରନ୍ତ ବଙ୍ଗଳା ଖାଲି କରିବାକୁ କୁହାଯାଇଛି।