ଝିଅ ରିଲ୍ସ କଲା ବୋଲି ମାରିଦେଲେ ନୃଶଂସ ବାପା

ପୋଷ୍ଟମର୍ଟମ ରିପୋର୍ଟରେ ଆସିଲା ସାଂଘାତିକ ତଥ୍ୟ

ରାଜ୍ୟସ୍ତରୀୟ ଟେନିସ ପ୍ଲେୟାରଙ୍କ ଛାତିରେ ବାଜିଥିଲା ୪ଟି ଗୁଳି

ଗୁରୁଗ୍ରାମ, ୧୧/୦୭: ଗୁରୁବାର ସକାଳେ ହରିୟାଣାର ଗୁରୁଗ୍ରାମରେ ଜଣେ ୨୫ ବର୍ଷୀୟ ରାଜ୍ୟସ୍ତରୀୟ ଟେନିସ୍ ଖେଳାଳି ରାଧିକା ଯାଦବଙ୍କୁ ତାଙ୍କ ଘରେ ଗୁଳି କରି ହତ୍ୟା କରାଯାଇଥିଲା। ବଡ଼ କଥା ହେଉଛି ରାଧିକାଙ୍କୁ ହତ୍ୟା କରିଥିଲେ ତାଙ୍କ ନିଜ ବାପା ଦୀପକ ଯାଦବ। ରାଧିକା ରିଲ୍ସ କରୁଥିଲେ ବୋଲି ଅସନ୍ତୁଷ୍ଟ ଥିଲେ ଦୀପକ। ରାଧିକାଙ୍କୁ ବାରମ୍ବାର ମନା କରିବା ସତ୍ତ୍ୱେ ସେ ଫିଲ୍ମ କରିବା ଜାରି ରଖିଥିବାରୁ ତାଙ୍କୁ ଗୁଳି ଚଳାଇ ହତ୍ୟା କରିଥିଲେ ଦୀପକ।

ପ୍ରାରମ୍ଭିକ ସୂଚନା ଅନୁଯାୟୀ, ଅଭିଯୁକ୍ତ ବାପା ରାଧିକାଙ୍କ ଉପରକୁ ତିନୋଟି ଗୁଳି ଚଳାଇଥିଲେ, ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା କିନ୍ତୁ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବାପାଙ୍କୁ ଗିରଫ କରିଥିଲା। ଗୁଳିକାଣ୍ଡରେ ବ୍ୟବହୃତ ରିଭଲଭର ଘରୁ ଉଦ୍ଧାର କରାଯାଇଥିଲା।

ପୋଲିସ କହିଛି ଯେ, ଘଟଣାଟି ସକାଳ ପ୍ରାୟ ୧୦ଟା ୩୦ ସମୟରେ ସେକ୍ଟର ୫୭ ସ୍ଥିତ ତାଙ୍କ ଘରର ପ୍ରଥମ ମହଲାରେ ଘଟିଥିଲା। ରାଧିକା ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ହେବାକୁ ଚାହୁଁଥିଲେ। ସେ ଇନଷ୍ଟାଗ୍ରାମରେ ରିଲ୍ସ କରୁଥିଲେ।

ରାଧିକାଙ୍କ ବାପା ରିଲ୍ସ କରିବା ପ୍ରତି ବିରକ୍ତ ଥିଲେ ଏବଂ ଏହା ପରିବାର ପାଇଁ ଲଜ୍ଜାଜନକ ବୋଲି ଉଦବୋଧ କରୁଥିଲେ। ସେ ପୋଲିସକୁ କହିଥିଲେ ଯେ ଯେତେବେଳେ ସେ ତାଙ୍କ ଗାଁକୁ ଯାଉଥିଲେ, ତାଙ୍କ ଝିଅର ସୋସିଆଲ ମିଡିଆରେ ରିଲ୍ସ କରୁଥିବା ନେଇ ସ୍ଥାନୀୟ ଲୋକଙ୍କଠାରୁ ତାଙ୍କୁ ତାଚ୍ଛଲ୍ୟ ଏବଂ ସମାଲୋଚନାର ଶିକାର ହେବାକୁ ପଡୁଥିଲା। ଏଥିପାଇଁ ସେ ଗତ ୧୫ ଦିନ ଧରି ଚାପରେ ଥିଲେ ଏବଂ ଶେଷରେ ଏପରି ପଦକ୍ଷେପ ନେଇଥିଲେ।

ରାଧିକା ଯାଦବ ଜଣେ ପ୍ରସିଦ୍ଧ ଟେନିସ୍ ଖେଳାଳି ଥିଲେ ଯିଏ ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ରାଜ୍ୟ ଏବଂ ଦେଶକୁ ପ୍ରତିନିଧିତ୍ୱ କରିଥିଲେ। ଅନେକ ପଦକ ଏବଂ ପ୍ରଶଂସା ଜିତିଥିଲେ। କିନ୍ତୁ, ଦୁଇ ବର୍ଷ ପୂର୍ବେ କିଛି ଅଘଟଣ ଘଟିଥିଲା ଏବଂ ଏଥିରେ ସେ ଆଘାତ ହୋଇଥିଲେ। ଯାହା ଫଳରେ ସେ କ୍ରୀଡ଼ାରୁ ଦୂରେଇ ଯାଇଥିଲେ।

ଅନ୍ୟପଟେ ରାଧିକାଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ତାଙ୍କ ଛାତିରେ ଚାରୋଟି ଗୁଳି ବାଜିଥିଲା। କିନ୍ତୁ ଏଫଆଇଆର ରେ ଦର୍ଶାଯାଇଛି ଯେ, ରାଧିକାଙ୍କ ପଛପଟେ ଗୁଳି ବାଜିଥିଲା। ଗୁଳିଗୁଡ଼ିକ ଶରୀରରୁ ବାହାର କରି ଫୋରେନସିକ୍ ଟେଷ୍ଟ ପାଇଁ ପଠାଯାଇଛି। ପୋଲିସର ପଚରାଉଚରା ବେଳେ ଦୀପକ ସ୍ୱୀକାର କରିଛନ୍ତି ଯେ, ସେ ପଛପଟୁ ଗୁଳି ମାରିଥିଲେ। ହେଲେ ରିପୋର୍ଟ କହୁଛି ସାମନାପଟୁ ଛାତିରେ ଗୁଳି ବାଜିଥିଲା। ଯାହାକି ପ୍ରକୃତ ଘଟଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।