ଛାତ୍ରୀ ଆତ୍ମହୁତି ଉଦ୍ୟମ ଘଟଣା: ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନ
ଗିରଫ ହେଲେ ଏଫଏମ କଲେଜ ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ
ବାଲେଶ୍ବର, ୧୪/୦୭: ବାଲେଶ୍ୱରର ଫକୀର ମୋହନ କଲେଜର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ନିଲମ୍ବନ ପରେ ଗିରଫ କରିଛି ପୋଲିସ। ଓଡ଼ିଶା ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଘୋଷଙ୍କୁ ନିଲମ୍ବନ କରାଯିବାର ଦୁଇ ଦିନ ପରେ ସହଦେବଖୁଣ୍ଟା ପୋଲିସ ଦିଲ୍ଲୀପଙ୍କୁ ଗିରଫ କରି ହେପାଜତକୁ ନେଇଛି।
ପୂର୍ବରୁ, ଏହି ଘଟଣାରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉଭୟ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଓ ବି.ଇଡି ଡିପାର୍ଟମେଣ୍ଟ ଏଚଓଡି ସମୀର କୁମାର ସାହୁଙ୍କୁ ନିଲମ୍ବନ କରାଯାଇଥିଲା। ଏହା ପରେ, ପୋଲିସ ସମୀରଙ୍କୁ ଗିରଫ କରିଥିଲା।
ସୂଚନାଯୋଗ୍ୟ, ଜୁଲାଇ ୧୨ରେ ଇଣ୍ଟିଗ୍ରେଟେଡ ବି.ଇଡି ଦ୍ୱିତୀୟ ବର୍ଷର ଛାତ୍ରୀ ସୌମ୍ୟାଶ୍ରୀ ବିଶି ପ୍ରଧାନଶିକ୍ଷକଙ୍କ ଚାମ୍ବର ବାହାରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଛାତ୍ରୀଙ୍କୁ ଏଚଓଡି ସମୀର ସାହୁ ମାନସିକ ନିର୍ଯ୍ୟାତନା ଦେଉଥିବା ଘଟଣା ସମ୍ପର୍କରେ ଅଭିଯୋଗ କରିବା ପରେ କଲେଜ ତରଫରୁ ହୋଇଥିବା ତଦନ୍ତ କମିଟି ଏଚଓଡିଙ୍କୁ କ୍ଲିନ୍ ଚିଟ୍ ଦେଇଥିଲା। ଯାହା ଫଳରେ ଛାତ୍ରୀ ଜଣକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିଥିଲେ। ସୌମ୍ୟାଶ୍ରୀଙ୍କ ଶରୀର ୯୫% ରୁ ଅଧିକ ପୋଡ଼ି ଯାଇଥିଲା ଏବଂ ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏମ୍ସକୁ ପଠାଯାଇଥିଲା, ଯେଉଁଠାରେ ସେ ବର୍ତ୍ତମାନ ଏକ ବିଶେଷଜ୍ଞ ଡାକ୍ତରୀ ଦଳର ତତ୍ତ୍ୱାବଧାନରେ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟ ସରକାର ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଏକ ତିନି ସଦସ୍ୟ ବିଶିଷ୍ଟ ତଦନ୍ତ କମିଟି ଗଠନ କରିଛନ୍ତି।