ବାଲେଶ୍ବର, ୧୪/୦୭: ବାଲେଶ୍ବର ଏଫଏମ କଲେଜର ପୀଡ଼ିତା ଛାତ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛି ଛାତ୍ର ଓ ଯୁବ ବିଜେଡ଼ି। ଏଫଏମ କଲେଜ ସାମ୍ନାରେ ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଉଚ୍ଚ ଶିକ୍ଷାମନ୍ତ୍ରୀ, ସାଂସଦ, ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ଦାବି କରିବା ସହ ସମସ୍ତ ଦୋଷୀଙ୍କ ବିରୋଧରେ ମଧ୍ୟ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେଡ଼ି। ଦଳୀୟ କର୍ମୀ ଏବଂ ସମର୍ଥକଙ୍କ ନେତୃତ୍ୱରେ ବିଜେଡି ଆନ୍ଦୋଳନକାରୀମାନେ କଲେଜ ଗେଟ୍ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ। ଗତ କାଲି ରାଜଧାନୀ ଭୁବନେଶ୍ୱରଠାରେ ମଧ୍ୟ ପ୍ରତିବାଦର ସ୍ବର ଉଠିଥିଲା।
ଏଫଏମ କଲେଜରେ ଇଣ୍ଟିଗ୍ରେଟେଡ ବି.ଇଡି ପାଠ୍ୟକ୍ରମରେ ପଢୁଥିବା ଜଣେ ଛାତ୍ରୀ ଏଚଓଡିଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ନିଜ ଶରୀରରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ। ଏଥିରେ ୯୦ରୁ ୯୫% ପୋଡ଼ିଯାଇଥିବା ଛାତ୍ରୀ ବର୍ତ୍ତମାନ AIIMS ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି।