ଓଡ଼ିଶା ସାମୁଦ୍ରିକ ବାୟୋଟେକ୍ନୋଲୋଜି ଗବେଷଣା ଏବଂ ନବସୃଜନ କରିଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟ ସରକାରଙ୍କ NIOT ଓ ୬ଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ସହ ଏମଓୟୁ ସ୍ବାକ୍ଷର
ଭୁବନେଶ୍ୱର, ୧୨/୮: ଆଜି ଲୋକ ସେବା ଭବନରେ ଓଡ଼ିଶା ସାମୁଦ୍ରିକ ବାୟୋଟେକ୍ନୋଲୋଜି ଗବେଷଣା ଏବଂ ନବସୃଜନ କରିଡର (OMBRIC)ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଓଡ଼ିଶା ସରକାରଙ୍କ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଭୂବିଜ୍ଞାନ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଜାତୀୟ ମହାସାଗର ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (NIOT) ମଧ୍ୟରେ ଏକ ଗବେଷଣା ଏବଂ ବିକାଶ ସହଯୋଗ ବୁଝାମଣାପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା। ଓଡ଼ିଶାର ଛଅଟି ଉଚ୍ଚଶିକ୍ଷା ପ୍ରତିଷ୍ଠାନ ମଧ୍ୟ ଗବେଷଣା ଏବଂ ବିକାଶ ସହାୟତା ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ସେହି ପ୍ରତିଷ୍ଠାନ ଗୁଡିକ ହେଉଛି IIT ଭୁବନେଶ୍ୱର, NIT ରାଉରକେଲା, IISER ବ୍ରହ୍ମପୁର, ILS ଭୁବନେଶ୍ୱର, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏବଂ ଫକୀର ମୋହନ ବିଶ୍ୱବିଦ୍ୟାଳୟ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଅନନ୍ୟ ପ୍ଲାଟଫର୍ମ କେବଳ ଓଡ଼ିଶା ପାଇଁ ନୁହେଁ, ସମଗ୍ର ଦେଶ ଏବଂ ବିଶ୍ୱ ପାଇଁ ବୈଜ୍ଞାନିକ ସମ୍ପ୍ରଦାୟ ଏବଂ ନବସୃଜନ ପାଇଁ ଆଶାର ଆଲୋକ ପାଲଟିବ। ଏହା ଆମର ନୀଳ ଅର୍ଥନୀତିକୁ ପରିବର୍ତ୍ତନ କରିପାରିବ ଏବଂ ଦେଶର ଆର୍ଥିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ। ଏଠାରେ ଯୁବ ଉଦ୍ୟୋଗୀମାନେ ସ୍ଥାନୀୟ ସମ୍ବଳରେ ସାମୁଦ୍ରିକ ବାୟୋଟେକ୍ ଷ୍ଟାର୍ଟଅପ୍ ନିର୍ମାଣ କରିପାରିବେ।”