୩୬ ବାୟୁସେନା ଅଧିକାରୀଙ୍କୁ ସାହସିକତା ପଦକ

• ୧୩ ବାୟୁସେନା ଅଧିକାରୀଙ୍କୁ ଯୁଦ୍ଧସେବା ମେଡାଲ୍‌। • ୯ ବାୟୁସେନା ଅଧିକାରୀ ପାଇବେ ବୀରଚକ୍ର ସମ୍ମାନ।

୨୬ ଜଣ ଯବାନ ପାଇବେ ବାୟୁସେନା ମେଡାଲ

ନୂଆଦିଲ୍ଲୀ, ୧୪/୮: ଅପରେସନ ସିନ୍ଦୂରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୩୬ ଜଣ ବାୟୁସେନା ଅଧିକାରୀ ସାହସିକତା ପୁରସ୍କାର ପାଇବେ। ମୁରିଦକେ ଏବଂ ବାହାୱଲପୁରରେ ଆତଙ୍କବାଦୀ ଆଡ୍ଡାର ଧ୍ୱଂସ କରିବା ସହ ପାକିସ୍ତାନର ସାମରିକ ସ୍ଥଳକୁ ଟାର୍ଗେଟ କରିଥିବା ଲଢ଼ୁଆ ପାଇଲଟଙ୍କ ସମେତ ନଅ ଜଣ ଭାରତୀୟ ବାୟୁସେନା ଅଧିକାରୀଙ୍କୁ ବୀର ଚକ୍ର ପ୍ରଦାନ କରାଯିବ। ଏହା ତୃତୀୟ ସର୍ବୋଚ୍ଚ ସାମରିକ ସମ୍ମାନ।

ବୀରଚକ୍ର ପଦକ ମିଳିବାକୁ ଥିବା ୯ ଜଣ ବାୟୁସେନା ଅଧିକାରୀ ହେଲେ ଗ୍ରୁପ୍ କ୍ୟାପ୍ଟେନ୍ ଆର ଏସ୍ ସିଦ୍ଧୁ, ମନୀଷ ଆରୋରା, ଅନିମେଶ ପାଟନୀ ଏବଂ କୁନାଲ କାଲରା, ୱିଙ୍ଗ କମାଣ୍ଡର ଜୟ ଚନ୍ଦ୍ର, ସ୍କ୍ୱାଡ୍ରନ୍ ଲିଡର୍ସ ସାର୍ଥକ କୁମାର, ସିଦ୍ଧାନ୍ତ ସିଂହ, ରିଜୱାନ ମଲିକ ଏବଂ ଫ୍ଲାଇଟ୍ ଲେଫ୍ଟନାଣ୍ଟ ଏ ଏସ୍ ଠାକୁର।

୧୩ ବାୟୁସେନା ଅଧିକାରୀ ପାଇବେ ବିଶିଷ୍ଟ ଯୁଦ୍ଧସେବା ମେଡାଲ୍‌। ସେମାନଙ୍କ ମଧ୍ୟରେ ଏୟାର ଭାଇସ୍‌ ମାର୍ଶଲ ଯୋଶେଫ୍‌ ସୁରେଶ, ଏଭିଏମ୍‌ ପ୍ରଜୁଆଲ ସିଂ, ଏୟାର କମାଣ୍ଡର ଅଶୋକ ରାଜ ଠାକୁର ରହିଛନ୍ତି।

ଜଣଙ୍କୁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯିବ। ଶତ୍ରୁ ସହିତ ସିଧାସଳଖ ଜଡିତ ନ ରହି ସାହସିକ କାର୍ଯ୍ୟ କିମ୍ବା ଆତ୍ମବଳିଦାନ ପାଇଁ ଶୌର୍ଯ୍ୟ ଚକ୍ର ପ୍ରଦାନ କରାଯାଏ। ଆଉ ୨୬ ଜଣଙ୍କୁ ବାୟୁ ସେନା ପଦକରେ ସମ୍ମାନିତ କରାଯିବ।

ମେ ୭ ତାରିଖରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ପହଲଗାମ ଆତଙ୍କବାଦୀ ଆକ୍ରମଣର ସିଧାସଳଖ ଜବାବ ଥିଲା। ଏ‌ହି ଆତଙ୍କୀ ହମଲାରେ ୨୬ ଜଣଙ୍କ ଜୀବନ ଯାଇଥିଲା। ଭାରତୀୟ ସେନା ପାକିସ୍ତାନୀର ନଅଟି ଆତଙ୍କବାଦୀ ପ୍ରତିଷ୍ଠାନକୁ ଧ୍ୱଂସ କରିଥିଲେ, ଯାହା ଫଳରେ ୧୦୦ ରୁ ଅଧିକ ଆତଙ୍କବାଦୀ ପ୍ରାଣ ହରାଇଥିଲେ। ଏହି ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନ ଭାରତର ସାମରିକ ସଂକଳ୍ପ ଏବଂ ରଣନୈତିକ କ୍ଷମତାକୁ ପ୍ରଦର୍ଶନ କରିଥିଲା।

ଅଧିକ ପଢନ୍ତୁ:ଦେଶର ୧୦୯୦ ଜଣଙ୍କୁ ମିଳିବ ପୋଲିସ ସେବା ପଦକ