ଟ୍ରମ୍ପଙ୍କୁ ଶକ୍ତ ଝଟକା: ଟାରିଫକୁ ବେଆଇନ କହିଲେ ଆମେରିକା କୋର୍ଟ

ଆମେ ସୁପ୍ରିମକୋର୍ଟ ଯିବୁ: ଟ୍ରମ୍ପଙ୍କ ଚ୍ୟାଲେଞ୍ଜ

ୱାଶିଂଟନ, ୩୦/୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟକା। ଆମେରିକା କୋର୍ଟ ଟ୍ରମ୍ପଙ୍କ ଟାରିଫ୍ ଲାଗୁକୁ ବେଆଇନ ବୋଲି କହିଛନ୍ତି। ଆମେରିକାର ଅପିଲ୍ କୋର୍ଟ ଟ୍ରମ୍ପଙ୍କ ଟାରିଫକୁ ତୀବ୍ର ସମାଲୋଚନା କରିଛନ୍ତି। ଟ୍ରମ୍ପଙ୍କ ଟାରିଫ୍ ନିଷ୍ପତ୍ତି ଭୁଲ ବୋଲି କହିଛନ୍ତି କୋର୍ଟ।

ଶୁକ୍ରବାର ଦିନ ଆମେରିକାର ଏକ ଅପିଲ୍ କୋର୍ଟ ରାୟ ଦେଇଛନ୍ତି ଯେ ଟ୍ରମ୍ପଙ୍କ ଅଧିକାଂଶ ଶୁଳ୍କ ବେଆଇନ। ୱାଶିଂଟନ୍, ଡିସିରେ ଥିବା ଫେଡେରାଲ୍ ସର୍କିଟ୍ ପାଇଁ ଆମେରିକାର କୋର୍ଟ ଅଫ୍ ଅପିଲ୍ସ ଜାଣିପାରିଛି ଯେ ଟ୍ରମ୍ପ ଅନ୍ୟ ଦେଶର ସରକାରଙ୍କୁ ଚାପରେ ପକାଇବା ପାଇଁ ଲେଭି ଲଗାଇ ତାଙ୍କ କ୍ଷମତାର ଅପବ୍ୟବହାର କରିଛନ୍ତି। ରାଷ୍ଟ୍ରପତିଙ୍କ ପାଖରେ କେବଳ ଜାତୀୟ ଜରୁରୀକାଳୀନ ପରିସ୍ଥିତି ସମୟରେ ବ୍ୟାପକ କ୍ଷମତା ଥିବା ବେଳେ, ସେହି କ୍ଷମତାଗୁଡ଼ିକରେ ଟାରିଫ୍ ଲାଗୁ କରିବା ପାଇଁ ଅନୁମତି ନାହିଁ।”

ତେବେ କୋର୍ଟଙ୍କୁ ରାୟକୁ ସମାଲୋଚନା କରି ଟ୍ରମ୍ପ ତାଙ୍କ ସୋସିଆଲ ମିଡ଼ିଆ ସାଇଟ୍ ଟ୍ରୁଥରେ କହିଛନ୍ତି, “ସମସ୍ତ ଶୁଳ୍କ ଏପର୍ଯ୍ୟନ୍ତ ପ୍ରଭାବଶାଳୀ! କୋର୍ଟଙ୍କ ରାୟ ପକ୍ଷପାତିତାପୂର୍ଣ୍ଣ। ଆମେ ସୁପ୍ରିମକୋର୍ଟ ଯିବୁ। ଆଗକୁ ଆହୁରି ଟାରିଫ୍ ଜାରି ରଖିବୁ। ଶେଷରେ ଆମେରିକା ହିଁ ଜିତିବ। ଯଦି ଏହି ଟାରିଫ୍ ଲାଗୁ ନ କରାଯାଏ, ତେବେ ଏହା ଦେଶ ପାଇଁ ଏକ ସମ୍ପୂର୍ଣ୍ଣ ବିପର୍ଯ୍ୟୟ ହେବ। ଏହା ଆମକୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ କରିଦେବ। ଟାରିଫ୍ ଦେଶର ହିତ ପାଇଁ, ଏଭଳି ଫଇସଲା ଦେଶକୁ ବରବାଦ୍ କରିଦେବ। ଆମକୁ ଶକ୍ତିଶାଳୀ ହେବାକୁ ପଡିବ। ଆମେରିକା ଆଉ ଅନ୍ୟ ଦେଶ ଦ୍ୱାରା ଲାଗୁ କରାଯାଇଥିବା ଅନୁଚିତ ଶୁଳ୍କ ଏବଂ ବାଣିଜ୍ୟ ପ୍ରତିବନ୍ଧକକୁ ସହ୍ୟ କରିବ ନାହିଁ। ଯାହା ଆମର ନିର୍ମାତା, ଚାଷୀ ଏବଂ ଅନ୍ୟ ସମସ୍ତଙ୍କୁ ଦୁର୍ବଳ କରିଥାଏ।” ବୋଲି ଟ୍ରମ୍ପ କହିଛନ୍ତି।

ଆମେରିକା ବର୍ତ୍ତମାନ ଚୀନ, ମେକ୍ସିକୋ, କାନାଡ଼ା ଓ ଭାରତ ଉପରେ ଟାରିଫ୍ ଲାଗୁ କରିଥିବା ବେଳେ ଅପିଲ୍ କୋର୍ଟଙ୍କୁ ଏହି ରାୟ ଆସିଛି। ତେବେ ଅକ୍ଟୋବର ୧୪ ଯାଏଁ ଟାରିଫ୍ ଜାରି କରିବାକୁ କୋର୍ଟ ଅନୁମତି ଦେଇଛନ୍ତି।