କୋରାପୁଟ, ୧୩/୯ : ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବସ୍ଥିତ ପୁରୁଣା ମାର୍କେଟ କମ୍ପ୍ଲେକ୍ସର ଛାତ ହଠାତ୍ ଭୁଶୁଡ଼ି ପଡ଼ିବାରୁ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଦୁର୍ଘଟଣା ପରେ ପୁଲିସ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ଘଟଣା ସ୍ଥଳରେ ପହଁଚି, ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଦେଖିବାକୁ ମିଳିଛି। ଜେସିବି ମେସିନ୍ ସାହାଯ୍ୟରେ ଭୁଶୁଡ଼ି ପଡ଼ିଥିବା କଂକ୍ରିଟ୍ ଓ ଲୁହାକୁ କାଟି, ଚାପି ହୋଇଥିବା ଲୋକଙ୍କୁ ବାହାର କରିବା ପ୍ରଚେଷ୍ଟା ଚାଲିଥିବାବେଳେ ଘଟଣା ସ୍ଥଳରୁ ଜଣେ ବ୍ୟକ୍ତିଙ୍କୁ ଜୀବନ୍ତବସ୍ଥାରେ ଉଦ୍ଧାର କରାଯାଇଥିଲେ ମଧ୍ୟ, କୋରାପୁଟ ଡିଷ୍ଟ୍ରିକ୍ଟ ହସ୍ପିଟାଲ୍କୁ ନେଇଯାଉଥିବା ସମୟରେ ସେ ମୃତ୍ୟୁବରଣ କରିଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ମାର୍କେଟ କମ୍ପ୍ଲେକ୍ସଟି ବହୁତ ପୁରୁଣା ଏବଂ ଦୀର୍ଘ ବର୍ଷ ଧରି ଏହାର ମରାମତି କିମ୍ବା ଦେଖାରଖା ହୋଇନଥିଲା। ଏହି ଘଟଣା ପରେ ସହରର ଅନ୍ୟାନ୍ୟ ପୁରାତନ ଇମାରତଗୁଡିକର ସୁରକ୍ଷା ପ୍ରତି ଲୋକଙ୍କ ମଧ୍ୟରେ ଭୟ ଓ ଆଶଙ୍କାର ବାତାବରଣ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଥିବାବେଳେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ୱୟଂ ସ୍ଥଳରେ ଥାଇ, ଉଦ୍ଧାର କାର୍ଯ୍ୟରେ ନିର୍ଦ୍ଦେଶ ଦେଉଥିବା ଦେଖିବାକୁ ମିଳିଥିଲା। ଏପରି ଭୟାବହ ଦୁର୍ଘଟଣା ପରେ ସହରରେ ଭୟଭୀତ ପରିସ୍ଥିତି ସୃଷ୍ଟି ହୋଇଛି। ସମସ୍ତ ବଡ଼ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳକୁ ପହଁଚି ସମନ୍ୱୟ କରୁଥିଲେ। ପ୍ରଶାସନ ପକ୍ଷରୁ କୁହାଯାଇଛି – “ ଘଟଣାର ମୂଳ କାରଣ ଅନୁସନ୍ଧାନ ପାଇଁ ତଦନ୍ତ କମିଟି ଗଠନ କରାଯିବ।”