ଝାରସୁଗୁଡ଼ା, ୨୭/୯: ଝାରସୁଗୁଡ଼ାର ଅମଲିପାଲି ପଡ଼ିଆରେ ଆୟୋଜିତ ହୋଇଥିବା ଯୁବ ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ। ମୋଦୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ନବରାତ୍ର ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କରିଥିଲେ। ମୋଦି କହିଛନ୍ତି, ଦେଢ଼ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନରେ ନୂଆ ସଂକଳ୍ପ ନେଲେ। ବିକଶିତ ଓଡ଼ିଶାର ସ୍ବପ୍ନ ନେବାକୁ ଶପଥ ନେଲେ। ଫଳରେ ଆଜି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଚାଲିଛି
ଆଜିଠୁ ସାରା ଦେଶରେ IIT ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି ବ୍ରହ୍ମପୁର-ସୁରତ ଅମୃତ ଭାରତ ଏକ୍ପପ୍ରେସ ଶୁଭାରମ୍ଭ ହୋଇଛି। ସୁରତ ସହ ଆପଣଙ୍କ ସମ୍ପର୍କ କେତେ ଜରୁରୀ ତାହା ସମସ୍ତେ ଜାଣନ୍ତି। ପଶ୍ଚିମବଙ୍ଗ ପରେ ଗୁଜରାଟରେ ସର୍ବାଧିକ ଓଡ଼ିଆ ରହନ୍ତି।
ଆମ ସରକାର ଏଯାବତ ୪ କୋଟି ଗରିବଙ୍କୁ ପକ୍କା ଘର ଦେଇଛନ୍ତି। ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ଆଜି ଓଡ଼ିଶାରେ ୫୦ ହଜାର ପକ୍କା ଘର କାର୍ଯ୍ୟାଦେଶ ଦିଆଯାଇଛି। ଓଡ଼ିଶା ଲୋକଙ୍କ ସାମର୍ଥ୍ୟ ସହ ମୁଁ ପୂରା ସହମତ। ବିଗତ ଦଶନ୍ଧିରେ ଗରିବୀ ସହ ଲଢ଼ିଛନ୍ତି, ଏବେ ବିକାଶ ଦେଖିବେ।
ଓଡ଼ିଶାରେ ଆଗାମୀ ଦିନରେ ୨ ସେମିକଣ୍ଡକ୍ଟର ୟୁନିଟ୍ ହେବାକୁ ଯାଉଛି। ଏହି ସେମିକଣ୍ଡକ୍ଟରରୁ ବାହାରୁଥିବା ଚିପ୍ସ ସବୁ କାର୍ଯ୍ୟରେ ଲାଗିବ। ଏହି ଛୋଟିଆ ଚିପ୍ସ ସବୁ ଦୈନନ୍ଦିନ ସାମଗ୍ରୀରେ ଲାଗିବ। ଚିପ୍ସ ଠାରୁ ଆରମ୍ଭ କରି ସିପ୍ ପର୍ଯ୍ୟନ୍ତ ଭାରତ ସବୁଥିରେ ଆତ୍ମନିର୍ଭର ହେବ। ଆମ ଦେଶ କୌଣସି ଦେଶ ଉପରେ ନିର୍ଭର କରିବ ନାହିଁ। ସ୍ବଦେଶୀ ଜ୍ଞାନକୌଶଳରେ ସିପ୍ ନିର୍ମାଣ ପାଇଁ ୧୭ ହଜାର କୋଟି ମଞ୍ଜୁର ହୋଇଛି। ଏଥିରୁ ସବୁଠୁ ବେଶୀ ଫାଇଦା ଯୁବପିଢ଼ି ପାଇବେ।
ଟେଲିକମ୍ ଟେକ୍ନୋଲୋଜି ପାଇଁ ଯାହା ଦାରକାର ତାହା ବିକଶିତ ହୋଇଛି। ଆଗାମୀ ଦିନରେ BSNL ନୂଆ ଇତିହାସ ରଚିବାକୁ ଯାଉଛି। BSNL ଦ୍ବାରା ସ୍ବଦେଶୀ 4G ନେଟୱର୍କ ସାମିଲ ହେଲା। ଏହାଦ୍ବାରା ହାଇସ୍ପିଡ୍ ଇଣ୍ଟରନେଟ୍ ସମ୍ଭବ ହୋଇଯାଇଛି। ଏହି ସେବା ସୀମାନ୍ତରେ ପ୍ରତିକୂଳ ସ୍ଥିତିରେ କାର୍ଯ୍ୟରତ ଯବାନ ବି ପାଇବେ। ଆଗାମୀ ଦିନରେ BSNL ସହ 5G ଯୋଡ଼ି ହେବାକୁ ଯାଉଛି।
ଅଭିଭାଷଣରେ କଂଗ୍ରେସକୁ ନିଶାନା କରି ମୋଦି କହିଛନ୍ତି, ୨୦୧୪ରେ କ୍ଷମତାକୁ ଆସିବା ପରେ ଦେଶକୁ ଲୁଟତନ୍ତ୍ରରୁ ରକ୍ଷା କଲି। ୨୦୧୪ ପର୍ଯ୍ୟନ୍ତ କଂଗ୍ରେସ ଦେଶକୁ ଲୁଟ୍ କରୁଥିଲା। ଆମ ସରକାର ୧୨ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଆୟକର ମୁକ୍ତ କରିଛନ୍ତି। କଂଗ୍ରେସ ସରକାର ବେଳେ ୧ ଲକ୍ଷ ଖର୍ଚ୍ଚ ପାଇଁ ୨୫ ହଜାର ଟିକସ ପଡ଼ୁଥିଲା। ମାତ୍ର ଆମ ସରକାରରେ ବର୍ତ୍ତମାନ ୧ ଲକ୍ଷରେ କେବଳ ୪ରୁ ୫ ହଜାର ଟିକସ। GST କମ୍ ହେବା ସତ୍ତ୍ବେ ହିମାଚଳ କଂଗ୍ରେସ ସରକାର ଲୁଟ୍ କରୁଛି। ସିମେଣ୍ଟ ଦାମ୍ରେ ହିମାଚଳ ସରକାର ନୂଆ ଟିକସ ଲଗାଇଛନ୍ତି। ସାରା ଦେଶ GSTର ଉପକାର ପାଉଥିଲା ବେଳେ ହିମାଚଳବାସୀ ବଞ୍ଚିତ। କୃଷକଙ୍କ ହିତ ପାଇଁ ଟ୍ରାକ୍ଟର ଦାମ୍ ୪୦ ହଜାର କମ୍ କରାଯାଇଛି। କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବିଜେପି ସରକାର ଟିକସ୍ କମ୍ କରିଛନ୍ତି ବୋଲି ମୋଦି କହିଛନ୍ତି।