ଫେଲ ମାରିଲେ ସରକାର ଓ ପ୍ରଶାସନ: କରି ଦେଖାଇଲେ ମହିଳା

ମହିଳାଙ୍କ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା

ସରକାରୀ ଯୋଜନାରେ ମିଳୁଥିବା ଅର୍ଥରେ ଗାଁକୁ ରାସ୍ତା କଲେ

ଝାଡ଼ଖଣ୍ଡ, ୩/୧୦: ପ୍ରଶାସନକୁ ଜଣାଇ ଜଣାଇ ଥକି ଗଲେ, ହେଲେ ଶୁଣିଲାନି ପ୍ରଶାସନ। ଯେତେବେଳେ ଅନୁଭବ ହେଲା ଯେ, ପ୍ରଶାସନ ପାଖରେ ନିଜ ଅସୁବିଧା ଜଣାଇବା ବୃଥା, ସେତେବେଳେ ଗାଁର ମହିଳାମାନେ ମିଶି ସମସ୍ୟାର ସମାଧାନ କଲେ ଓ ଶେଷରେ ଗାଁକୁ ରାସ୍ତା କଲେ। ଏଭଳି ଏକ ଘଟଣା ସାମନାକୁ ଆସିଛି ଝାଡ଼ଖଣ୍ଡରୁ।

ସେପ୍ଟେମ୍ବର ଶେଷ ସପ୍ତାହରେ ଝାଡ଼ଖଣ୍ଡର ପାଲାମୁ ଜିଲ୍ଲାର ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପିଚୁଲିଆ ଗାଁ ପାଇଁ ରାସ୍ତା ତିଆରି କରିଛନ୍ତି। ଦଶହରା ଭିତରେ ଗାଁକୁ ସମ୍ପୂର୍ଣ୍ଣ ରାସ୍ତା ତିଆରି ଲକ୍ଷ୍ୟରେ କାଞ୍ଚନପୁର ଗ୍ରାମ ପଞ୍ଚାୟତର ପିଚୁଲିଆ ଗାଁର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୨୫ ଜଣ ସଦସ୍ୟ ଏକତ୍ରିତ ହୋଇ ଗାଁକୁ ରାସ୍ତା କଲେ।

ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଏହି ରାସ୍ତା ତିଆରି ପାଇଁ ମହିଳାମାନେ ମୈୟା ସମ୍ମାନ ଯୋଜନାରୁ ପାଇଥିବା ଟଙ୍କା ବ୍ୟବହାର କରିଥିଲେ। ଏହା ରାଜ୍ୟ ସରକାରଙ୍କ ଏକ ଯୋଜନା ଯାହା ଅଧୀନରେ ୧୮ରୁ ୫୦ ବର୍ଷ ବୟସର ମହିଳାମାନେ ପ୍ରତି ମାସରେ ୨,୫୦୦ ଟଙ୍କା ପାଆନ୍ତି। ମୋଟ ୭୦ ହଜାର ଟଙ୍କା ସଂଗ୍ରହ କରି ଏହି ରାସ୍ତା ତିଆରି କରିଥିଲେ।

ଗାଁ ବାସିନ୍ଦାଙ୍କ କହିବାନୁଯାୟୀ, ରାସ୍ତାର ଅଭାବ ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବାହାର ଦୁନିଆରୁ ବିଚ୍ଛିନ୍ନତା ଏବଂ ସ୍ୱାସ୍ଥ୍ୟସେବାର ଅଭାବ ଠାରୁ ଆରମ୍ଭ କରି ବିବାହ ସମସ୍ୟା ପର୍ଯ୍ୟନ୍ତ, ସବୁଥିରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏହି ରାସ୍ତା ତିଆରିରେ ସହଯୋଗ କରିଥିବା ଜଣେ ମହିଳା କହିଛନ୍ତି, ୨୦୨୩ ମସିହାରେ ତାଙ୍କ ସ୍ୱାମୀଙ୍କୁ ମସ୍ତିଷ୍କ ଟ୍ୟୁମର ହୋଇଥିଲା। ମାତ୍ର ୫ କିଲୋମିଟର ଦୂରରେ ଡାକ୍ତରଖାନା ନେବା ପାଇଁ ରାସ୍ତା ନଥିବାରୁ ସେ ତାଙ୍କ ସ୍ୱାମୀଙ୍କୁ ବାଉଁଶ ଭାରରେ ନେଇଥିଲେ। କାରଣ ଗାଁକୁ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ରାସ୍ତା ନଥିଲା। ବିଳମ୍ବ ହେବାରୁ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା।

ସେହିପରି ଆଉ ଜଣେ ମହିଳା କହିଛନ୍ତି, ଯେତେବେଳେ ସେ ଗର୍ଭବତୀ ଥିଲେ, ଗାଁକୁ ଆମ୍ବୁଲାନ୍ସ ଆସି ପାରିନଥିଲା। ତେଣୁ ତାଙ୍କୁ କାନ୍ଧରେ ବୁହା ହୋଇ ହସ୍ପିଟାଲକୁ ନିଆଁ ଯାଇଥିଲା। ପ୍ରସବ ବେଦନାଠୁ ବଳି ଗଲା ରାସ୍ତା ନଥିବା ଯନ୍ତ୍ରଣା।

ଗାଁର ଆଉ କିଛି ଲୋକ କହିଛନ୍ତି, ଏହି ଗାଁର ଯୁବକ ଓ ଯୁବତୀଙ୍କୁ ବିବାହ ପାଇଁ ଯୋଗ୍ୟ ପ୍ରାର୍ଥୀ ମଧ୍ୟ ମିଳେନି। କାରଣ ଗାଁକୁ ରାସ୍ତା ନଥିଲା।

ପିଚୁଲିଆର ଗାଁର ମୁଖିଆ ସରସ୍ୱତୀ ଦେବୀ କହିଛନ୍ତି, ଗତ ଦୁଇ ଆର୍ଥିକ ବର୍ଷରେ ଗ୍ରାମ ବିକାଶ ପାଇଁ “ଗୋଟିଏ ଟଙ୍କା” ମଧ୍ୟ ପାଇନାହିଁ। ୨୦୨୩ ମସିହାରୁ ଆମେ ପାଣ୍ଠି ପାଇନାହୁଁ, ଏହାର ଆଂଶିକ କାରଣ ହେଉଛି ସରକାରଙ୍କଠାରୁ ପାଣ୍ଠି ଅଭାବ।

ଜୁଲାଇ ମାସରେ ଝାଡ଼ଖଣ୍ଡର ଅର୍ଥମନ୍ତ୍ରୀ ରାଧା କୃଷ୍ଣ ଗାଁ ପରିଦର୍ଶନ କଲା ବେଳେ ଛଟ୍ ପୂଜା ପୂର୍ବରୁ MLALAD ପାଣ୍ଠିରୁ ଗ୍ରାମକୁ ଏକ କଚ୍ଚା ରାସ୍ତା ଏବଂ ବର୍ଷା ପରେ ଏକ କଂକ୍ରିଟ୍ ରାସ୍ତା କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ତାହା ପ୍ରତିଶ୍ରୁତିରେ ହିଁ ରହିଗଲା।

ଯଦିଓ ଏବେ ଯେଉଁ ରାସ୍ତା ହୋଇଛି, ସେଥିରେ ଗାଡ଼ି ଚଳାଚଳ ହୋଇ ପାରିବ, ମାତ୍ର ତାହା ସମତୁଲ ହୋଇନାହିଁ। କିନ୍ତୁ ମହିଳାମାନଙ୍କ ଏ ପଦକ୍ଷେପକୁ ସବୁରି ମହଲରେ ପ୍ରଶଂସା କରାଯାଉଛି‌।