ଚୌଦ୍ଵାର ଜେଲରୁ କଏଦୀ ଚମ୍ପଟ: ୨ ୱାର୍ଡର ସସପେଣ୍ଡ୍

ସୂଚନା ଦେଲେ ମିଳିବ ୫୦ ହଜାର ପୁରସ୍କାର

କଟକ, ୩/୧୦: ଚୌଦ୍ବାର ଜେଲ୍‌ରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଫେରାର ମାରିଛନ୍ତି। ଦୁଇ ଅପରାଧୀ ଚୌଦ୍ଵାର ଜେଲର ସେଲ କାଟି ଫେରାର ହୋଇ ଯାଇଛନ୍ତି। ଅଲଗା ଅଲଗା ସେଲ୍‌ରେ ଥିଲେ ହେଁ ଆରିରେ ରଡ୍‌ କାଟି ବାହାରିଥିଲେ। ବ୍ୟବହାର କରୁଥିବା କମଳକୁ ଦଉଡ଼ି କରି ପାଚେରୀ ଡେଇଁ ଖସି ପଳାଇଛନ୍ତି।

ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୨ ୱାର୍ଡର ସସ୍‌ପେଣ୍ଡ୍‌ ହୋଇଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ୱାର୍ଡର, ଚିଫ୍‌ ୱାର୍ଡରଙ୍କୁ ସସ୍‌ପେଣ୍ଡ୍ କରାଯାଇଛି। କଟକ ରେଞ୍ଜ୍‌ ଡିଆଇଜିଙ୍କୁ ତଦନ୍ତ ପାଇଁ ଜେଲ୍‌ ବିଭାଗ ଡିଜି ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ଏ ନେଇ ଦୁଇ ଅପରାଧୀଙ୍କ ସଂକ୍ରାନ୍ତରେ ସୂଚନା ଦେଲେ ସୂଚନାଦାତାଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ମିଳିବା ସହ ସୂଚନାଦାତାଙ୍କର ପରିଚୟ ଗୋପନୀୟ ରଖାଯିବ ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି। କଟକ ଡିସିପି ସାମାଜିକ ଗଣମାଧ୍ୟମ ‘ଏକ୍ସ’ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଏହି ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ପାଣିକୋଇଲିରେ ପଣ୍ଡା ଅଳଙ୍କାର ଲୁଟ୍‌ ଘଟଣାରେ ଧରାପଡ଼ିଥିଲେ। ଉଭୟ ଲୁଟେରା ଅଳଙ୍କାର ଦୋକାନ ଉପରକୁ ଗୁଳିମାଡ଼ କରିଥିଲେ। ଲୁଟେରାଙ୍କ ଗୁଳିମାଡ଼ରେ ୨ଜଣଙ୍କର ଜୀବନ ଯାଇଥିଲା। ସ୍ଥାନୀୟ ଲୋକ ଉଭୟଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ଏମାନେ ପୂର୍ବରୁ ମଧ୍ୟ ଅନେକ ଥର ଜେଲରୁ ଫେରାର ହେବାକୁ ଚେଷ୍ଟା କରିଥିଲେ।