ଅଙ୍କିତା ଭଣ୍ଡାରୀଙ୍କ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟରେ ନାହିଁ ଦୁଷ୍କର୍ମ ପ୍ରମାଣ !

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଅଙ୍କିତା ଭଣ୍ଡାରୀଙ୍କ ହତ୍ୟା ଘଟଣାରେ ତାଙ୍କ ପରିବାର ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦାବି କରି ବିକ୍ଷୋଭ କରିଥିଲେ। ରିପୋର୍ଟ ନ ମିଳିବା ଯାଏ ଅନ୍ତିମ ସଂସ୍କାର କରିବାକୁ ରାଜି ନଥିଲେ। ଅଙ୍କିତାଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ଅଭିଯୋଗ କରାଯାଉଥିଲା।

ହେଲେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଙ୍କିତାଙ୍କ ଶବବ୍ୟବଚ୍ଛେଦ ରିପୋର୍ଟରେ ଦୁଷ୍କର୍ମ ନେଇ କୌଣସି ପ୍ରମାଣ ମିଳି ନାହିଁ। ତେବେ ହତ୍ୟା ଅଭିଯୋଗରେ ତଦନ୍ତ ଚାଲିିଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ଏନେଇ ଜାତୀୟ ଗଣମାଧ୍ୟମ ଇଣ୍ଡିଆଟୁଡେରେ ଖବର ପ୍ରକାଶ ପାଇଛି।

ଖବର ଅନୁସାରେ, ଅଙ୍କିତାଙ୍କ ମୃତଦେହ ଉଦ୍ଧାର ହେବା ପରେ ତାଙ୍କ ଆଙ୍ଗୁଳି, ହାତ ଓ ବେକରେ ଦାଗ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସନ୍ଦେହ ବଢ଼ିବା ପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ହେଲେ ରିପୋର୍ଟରେ ଦୁଷ୍କର୍ମ ନେଇ କୌଣସି ପ୍ରମାଣ ନଥିବା ବିଶେଷ ସୂତ୍ରରୁ ଖବର ମିଳିଥିବା ବେଳେ ରିପୋର୍ଟକୁ ସାର୍ବଜନିନ କରାଯାଇ ନାହିଁ।