ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ

ଗୋପାଳପୁର ଘଟଣାର ପୁନରାବୃତ୍ତି

ପୀଡ଼ିତାଙ୍କ ଅବସ୍ଥା ଗୁରୁତର

କୋଲକାତା, ୧୧/୧୦: ପଶ୍ଚିମବଙ୍ଗରେ ଏକ ଘରୋଇ ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀଙ୍କୁ ହସ୍ପିଟାଲ ପରିସରରେ ଟାଣି ନେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଉକ୍ତ ଯୁବତୀ ଜଣକ ଓଡ଼ିଶାର ବୋଲି ଜଣା ପଡିଛି। ଡାକ୍ତରୀ ଛାତ୍ରୀଙ୍କୁ ପୋଲିସ୍ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି। ଛାତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ସେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାର ବାଲେଶ୍ବରର ଜଳେଶ୍ଵରର ଉକ୍ତ ଯୁବତୀ ଜଣକ ପଶ୍ଚିମବଙ୍ଗର ସବୁଠାରୁ ବଡ଼ ଶିଳ୍ପ କେନ୍ଦ୍ର ଦୁର୍ଗାପୁରର ଶୋଭାପୁର ନିକଟରେ ଅବସ୍ଥିତ ଏକ ଘରୋଇ ମେଡିକାଲ କଲେଜରେ MBBS ପଢୁଛନ୍ତି। ଗତ କାଲି ରାତି ପ୍ରାୟ ୮ଟା ୩୦ ସମୟରେ ସେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ସାକ୍ଷାତ କରିବା ପାଇଁ କ୍ୟାମ୍ପସ ଗେଟ୍ ବାହାରକୁ ଯାଇଥିବା ବେଳେ ସେଠାରେ ପୂର୍ବରୁ ଥିବା ୪ ରୁ ୫ ଜଣ ବ୍ୟକ୍ତି ତାଙ୍କୁ ଟାଣି ନେଇ ଏକ ନିର୍ଜନ ସ୍ଥାନରେ ଦୁଷ୍କର୍ମ କରିଥିଲେ। ଏହା ପରେ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ଉଦ୍ଧାର କରିଥିଲେ। ଏପରିକି ଦୁଷ୍କର୍ମ କାରୀମାନେ ଛାତ୍ରୀଙ୍କ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଯିବା ସହ ଫେରସ୍ତ କରିବା ପାଇଁ ୩୦୦୦ ଟଙ୍କା ଦାବି କରିଥିଲେ। ଏହା ପରେ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ।

ଛାତ୍ରୀଙ୍କ ବାପା କ୍ୟାମ୍ପସରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ନଥିଲା ବୋଲି ଅଭିଯୋଗ କରିଛନ୍ତି।