ଲାହୋର, ୨୫/୧୦: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଉଭୟ ଦେଶର ସୀମା ବନ୍ଦ ହୋଇଯାଇଛି। ଅକ୍ଟୋବର ୧୧ ତାରିଖରୁ ସମସ୍ତ ସୀମା ପଥ ବନ୍ଦ ରହିଛି। ସମସ୍ତ ବାଣିଜ୍ୟ ଏବଂ ଯାତାୟାତ ବନ୍ଦ ରହିଛି। ଯାହା ଫଳରେ ଉଭୟ ଦେଶରେ ଲୋକଙ୍କ ପାଖକୁ ପହଞ୍ଚି ପାରୁନି ଅତ୍ୟାବଶ୍ୟକ ସାମଗ୍ରୀ। ଯେଉଁଥିପାଇଁ ଏହାର ମୂଲ୍ୟ ବୃଦ୍ଧି ପାଇଛି।
ବିଶେଷ କରି, ପାକିସ୍ତାନରେ ଟମାଟୋ ଦର ଆକାଶଛୁଆଁ ହୋଇଛି। ଟମାଟୋ ଦର ୪୦୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି। କିଲୋଗ୍ରାମ ପ୍ରତି ପାଖାପାଖି ୬୦୦ ପାକିସ୍ତାନୀ ଟଙ୍କାରେ ପହଞ୍ଚିଛି, ଯାହା ସାଧାରଣ ମୂଲ୍ୟଠାରୁ ପାଞ୍ଚ ଗୁଣ ଅଧିକ।
ଉଲ୍ଲେଖଯୋଗ୍ୟ, ଉଭୟ ଦେଶ ମଧ୍ୟରେ ବାର୍ଷିକ ୨.୩ ବିଲିୟନ ଡଲାରର ବାଣିଜ୍ୟ କାରବାର ହୋଇଥାଏ। କିନ୍ତୁ ସଂଘର୍ଷ ଆରମ୍ଭ ହେବା ଦିନଠାରୁ ପ୍ରତିଦିନ ଉଭୟ ପକ୍ଷ ପ୍ରାୟ ୧ ନିୟୁତ ଡଲାରର କ୍ଷତି ସହୁଛନ୍ତି। ସୀମା ବନ୍ଦ ହେବା କାରଣରୁ ବଜାରରେ ଟମାଟୋ, ସେଓ ଏବଂ ଅଙ୍ଗୁରର ଅଭାବ ଦେଖାଦେଇଛି। ଉଭୟ ପାର୍ଶ୍ବରେ ହଜାର ହଜାର କଣ୍ଟେନର ଅଟକି ରହିଥିବାର ଦେଖାଦେଇଛି।