ଭୟଙ୍କର ଭୂମିକମ୍ପରେ ଥରି ଉଠିଲା ମଜାର-ଏ-ଶରିଫ

୭ ଜଣଙ୍କ ମୃତ୍ୟୁ, ଅନେକ ଆହତ

କାବୁଲ, ୦୩/୧୧: ଆଫଗାନିସ୍ତାନରେ ପୁଣି ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୩ ଥିଲା। ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ ଭୂମିକମ୍ପରେ ଅତି କମରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଗତ ଦୁଇ ମାସ ପୂର୍ବେ ଦେଶର ପୂର୍ବ ଭାଗରେ ଏକ ଭୂମିକମ୍ପରେ ୨,୨୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ଭୂମିକମ୍ପ ଉତ୍ତର ଆଫଗାନିସ୍ତାନରେ ହୋଇଥିଲା। ଉତ୍ତର ଆଫଗାନିସ୍ତାନର ସବୁଠାରୁ ଜନବହୁଳ ସହର ମଧ୍ୟରୁ ଗୋଟିଏ ଉତ୍ତର ବଲଖ ପ୍ରଦେଶର ରାଜଧାନୀ ମଜାର-ଏ-ଶରିଫରେ ଏହି ଭୂମିକମ୍ପ ହୋଇଥିଲା।

USGS ସୂଚନା ଅନୁଯାୟୀ, ନଭେମ୍ବର ୩ ରେ ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳ ମଜାର-ଇ-ଶରିଫ ସହର ନିକଟସ୍ଥ ଖୋଲମରେ ୨୮ କିଲୋମିଟର ଗଭୀରତାରେ ଥିଲା।

X ରେ ଏକ ପୋଷ୍ଟରେ, ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) କହିଛି ଯେ ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ସ୍ଥାନୀୟ ସମୟ ସୋମବାର ସକାଳେ ମଜାର-ଏ-ଶରିଫ ସହର ଏବଂ ଖୁଲମ୍ ସହର ନିକଟରେ ଭୂମିକମ୍ପ ହୋଇଥିଲା।

ଉତ୍ତର ଆଫଗାନିସ୍ତାନ ସୀମାବର୍ତ୍ତୀ ତିନୋଟି ଦେଶ ତାଜିକିସ୍ତାନ, ଉଜବେକିସ୍ତାନ ଏବଂ ତୁର୍କମେନିସ୍ତାନର କିଛି ଅଂଶରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା।

୨୦୨୧ ମସିହାରେ କ୍ଷମତାକୁ ଫେରିବା ପରଠାରୁ, ତାଲିବାନ ସରକାରକୁ ଅନେକ ବଡ଼ ବଡ଼ ଭୂମିକମ୍ପର ସମ୍ମୁଖୀନ ହେବାକୁ ପଡ଼ିଛି। ୨୦୨୩ ମସିହାରେ ଇରାନ ସୀମାରେ ପଶ୍ଚିମ ହେରାତ ଅଞ୍ଚଳରେ ଏକ ଭୂମିକମ୍ପ ହୋଇଥିଲା। ଯେଉଁଥିରେ ୧୫୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୬୩,୦୦୦ ରୁ ଅଧିକ ଘର ନଷ୍ଟ ହୋଇଯାଇଥିଲା। ସେହିପରି ଚଳିତ ବର୍ଷ ଅଗଷ୍ଟ ୩୧ ତାରିଖରେ, ଦେଶର ପୂର୍ବ ଭାଗର ୬.୦ ତୀବ୍ରତାର ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୨,୨୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।