ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଯାତ୍ରୀଙ୍କୁ ଚାପି ଦେଲା ଗୋଡ଼ି ବୋଝେଇ ହାଇୱା

୨୦ରୁ ଉର୍ଦ୍ଧ୍ବ ମୃତ, ଅନେକ ଗୁରୁତର

ହାଇଦ୍ରାବାଦ, ୦୩/୧୧: ଆଜି ସକାଳେ ହାଇଦ୍ରାବାଦ-ବିଜାପୁର ରାଜପଥରେ ଏକ ଯାତ୍ରୀବାହୀ ବସ୍ ପଥର ବୋଝେଇ ଟ୍ରକ୍ ସହିତ ଧକ୍କା ହେବା ଫଳରେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି। ହାଇଦ୍ରାବାଦରୁ ପ୍ରାୟ ୬୦ କିଲୋମିଟର ଦୂର ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି।

ତେଲେଙ୍ଗାନା ରାଜ୍ୟ ସଡ଼କ ପରିବହନ ନିଗମର ଏହି ବସ୍‌ରେ ୭୦ ଜଣ ଯାତ୍ରୀ ଥିବା ଜଣାପଡ଼ିଛି। ଏହା ଭିକାରାବାଦ ଜିଲ୍ଲାର ତାନ୍ଦୁରରୁ ହାଇଦ୍ରାବାଦ ଯାଉଥିବା ବେଳେ ଗୋଡି ବୋଝେଇ ଏକ ହାଇୱା ସହିତ ଧକ୍କା ହୋଇଥିଲା। ଟ୍ରକ୍‌ଟି ଓଲଟି ପଡିବା ଫଳରେ ବୋଝେଇ ଗୋଡି ବସ୍‌ ଭିତରେ ପଡ଼ିଯାଇଥିଲା, ଯାହା ଫଳରେ ଅନେକ ଯାତ୍ରୀ ସେହି ଗୋଡ଼ି ତଳେ ଚାପି ହୋଇଯାଇଥିଲେ।

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ମଧ୍ୟରେ ଏକ ୧୦ ମାସର ଶିଶୁ, ୧୧ ଜଣ ମହିଳା ଏବଂ ଉଭୟ ଗାଡିର ଡ୍ରାଇଭର ଅଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ଅନେକ ଯାତ୍ରୀଙ୍କୁ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ରିପୋର୍ଟ ଅନୁଯାୟୀ ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି।

ଦୁଘଁଟଣା ବେଳର ହୃଦୟ ବିଦାରକ ଦୃଶ୍ୟ ସାମନାକୁ ଆସିଛି। ପୋଲିସ ଏବଂ ଉଦ୍ଧାରକାରୀମାନେ ଆହତମାନଙ୍କୁ ବାହାର କରିବାକୁ ସଂଘର୍ଷ କରୁଥିଲେ। ମୃତଦେହଗୁଡ଼ିକୁ ଆଣିବା ପାଇଁ ଉଦ୍ଧାର ଦଳଗୁଡ଼ିକୁ ବସ୍ କାଟିବାକୁ ପଡିଥିଲା।

ଡ୍ରାଇଭର ଏବଂ ତାଙ୍କ ସିଟ୍ ପଛରେ ଥିବା ଛଅ ଧାଡି ଯାତ୍ରୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ, ଏବଂ ବସ୍ ର ଏହି ଅଂଶରେ ଥିବା ଅଧିକାଂଶ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା।

ମୁଖ୍ୟମନ୍ତ୍ରୀ ଏ ରେବନ୍ତ ରେଡ୍ଡୀ ସଡ଼କ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ସହାୟତା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପରିବହନ ମନ୍ତ୍ରୀ ପୋନ୍ନମ ପ୍ରଭାକର ଦୁର୍ଘଟଣାର କାରଣ ସମ୍ପର୍କରେ ସଡ଼କ ପରିବହନ ନିଗମର ପରିଚାଳନା ନିର୍ଦ୍ଦେଶକ ୱାଇ ନାଗିରେଡ୍ଡିଙ୍କ ସହ କଥା ହୋଇଛନ୍ତି ଏବଂ ଆହତମାନଙ୍କ ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବାକୁ ରଙ୍ଗାରେଡ୍ଡି ଜିଲ୍ଲା କଲେକ୍ଟରଙ୍କୁ କହିଛନ୍ତି।