ଦିଲ୍ଲୀ ବିସ୍ଫୋରଣ: ସକାଳ ୮ଟା ୪ରୁ ସନ୍ଧ୍ୟା ୬ଟା ୨୨; ଏମିତି ଥିଲା ପୂରା ଘଟଣା

ସାମନାକୁ ଆସିଲା ସନ୍ଦିଗ୍ଧର ଫଟୋ

ନୂଆଦିଲ୍ଲୀ, ୧୧/୧୧: ଦିଲ୍ଲୀ ଲାଲ କିଲ୍ଲା ମେଟ୍ରୋ ଷ୍ଟେସନ ଗେଟ୍ ନମ୍ବର ୧ରେ ବିସ୍ଫୋରଣ ଘଟଣାରେ ସାମ୍ନାକୁ ଆସିଲା ସନ୍ଦିଗ୍ଧ ଯୁବକର ଫଟୋ। ହୁଣ୍ଡାଇ i20 କାର୍‌ରେ ବସିଥିବା ବେଳେ ସନ୍ଦିଗ୍ଧ ଯୁବକର ଫଟୋ ସାମ୍ନାକୁ ଆସିଛି। ସନ୍ଦିଗ୍ଧ କଳାରଙ୍ଗର ଟି-ସାର୍ଟ ପିନ୍ଧିଥିବା ସିସିଟିଭିରେ ଦେଖାଯାଉଛି। ମୁହଁରେ ମାସ୍କ ପିନ୍ଧିଥିଲା। ସିସିଟିଭିରେ ଚିହ୍ନଟ ହୋଇଥିବା ସନ୍ଦିଗ୍ଧ ହେଉଛି ପଳାତକ ଡାକ୍ତର ଉମର ମହମ୍ମଦ। ସେ ପୂର୍ବରୁ ଆତଙ୍କବାଦୀ ମଡ୍ୟୁଲ୍ ସହ ଜଡ଼ିତ ଥିଲା।

 

ଏମିତି ପ୍ରବେଶ କରି ବିସ୍ଫୋରଣ ଘଟାଇଥିଲା ସନ୍ଦିଗ୍ଧ:-

ବିସ୍ଫୋରଣର ୩ ଘଣ୍ଟା ପୂର୍ବରୁ ଲାଲ୍‌କିଲ୍ଲା ନିକଟରେ ପାର୍କିଂ ହୋଇଥିଲା। ସକାଳ ୮ଟା ୪ରେ କାରଟି ଫରିଦାବାଦରୁ ପାର ହୋଇ ବଦରପୁର ଟୋଲ୍ ବୁଥରୁ ଦିଲ୍ଲୀରେ ପ୍ରବେଶ କଲା। ସକାଳ ୮ଟା ୨୦ରେ ଓଖଲା ସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ କିଛି ସମୟ ପାଇଁ ଅଟକିଥିଲା।

ଅପରାହ୍ନ ୩ଟା ୧୯ରେ ସୁନହେରି ମସଜିଦ ନିକଟ ଲାଲ କିଲ୍ଲା ସଂଲଗ୍ନ ଅଞ୍ଚଳରେ ପାର୍କିଂ ହୋଇଥିଲା କାର୍, ୬ଟା ୨୨ ଯାଏଁ ସେ ସେଠାରେ ଥିଲା। ୬ଟା ୨୨ରେ ବାହାରିଥିଲା। ଧୀର ଗତିରେ ଯାଇ ଟ୍ରାଫିକ ରେଡ୍ ଲାଇଟ୍ ନିକଟରେ ଅଟକିଥିଲା। ଏହା ପରେ ସଂଧ୍ୟା ୬ଟା ୫୨ ମିନିଟ୍‌ରେ ଲାଲ୍‌କିଲ୍ଲା ନିକଟରେ ବିସ୍ଫୋରଣ ଘଟିଥିଲା।

 

କେମିତି କରିଥିଲା ଯୋଜନା:-

ଫରିଦାବାଦରେ ରେଡ୍ ପରେ ହଡ଼ବଡ଼େଇ ଯାଇଥିଲା ଆତଙ୍କୀ ଡାକ୍ତର ଉମର। ଫରିଦାବାଦରେ ବିପୁଳ ବିସ୍ଫୋରକ ଜବତ ପରେ ଉମରକୁ ଖୋଜୁଥିଲା ପୋଲିସ। ଜମ୍ମୁ କାଶ୍ମୀର, ହରିୟାଣା ପୋଲିସ ଡାକ୍ତର ଉମରକୁ ଖୋଜୁଥିଲା। ଏହାକୁ ନେଇ ଅତ୍ୟଧିକ ଭୟଭୀତ ହୋଇ ଯାଇଥିଲା ଉମର। ଭୟଭୀତ ହୋଇ ଉମର କାର୍‌ରେ ବିସ୍ଫୋରଣ କରିଥିବା ସୂଚନା ମିଳିଛି। ଡିଟୋନେଟର ଲଗାଇ କାର୍‌କୁ ବିସ୍ଫୋରଣରେ ଉଡ଼ାଇଥିବା ସୂଚନା ରହିଛି। କାର୍‌ରେ ମିଳିଥିବା ମୃତଦେହର ହେବ ଡିଏନ୍‌ଏ ଟେଷ୍ଟ। ମୃତଦେହ ଆତଙ୍କୀ ଉମରର କି ନୁହେଁ ସ୍ପଷ୍ଟ କରିବାକୁ ହେବ ଡିଏନ୍‌ଏ ଟେଷ୍ଟ।