ଇସଲାମାବାଦ, ୧୧/୧୧: ମଙ୍ଗଳବାର ଦିନ ପାକିସ୍ତାନର ରାଜଧାନୀ ଇସଲାମାବାଦର G-11 ସେକ୍ଟରରେ ଥିବା କୋର୍ଟ ପାଖରେ ଭୟଙ୍କର ବିସ୍ଫୋରଣ ଘଟିଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏହି ବିସ୍ଫୋରଣରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି।
ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ, ବିସ୍ଫୋରଣ ଏପରି ସମୟରେ ଘଟିଥିଲା ଯେତେବେଳେ କୋର୍ଟ ପରିସରରେ ପ୍ରବଳ ଭିଡ଼ ଥିଲା। ବିସ୍ଫୋରଣରେ ଅନେକ ଓକିଲ ଏବଂ ସାଧାରଣ ନାଗରିକ ଆହତ ହୋଇଛନ୍ତି।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଅପରାହ୍ନ ୧୨ଟା ସମୟରେ କୋର୍ଟହାଉସ୍ ପାର୍କିଂ ଅଞ୍ଚଳରେ ପାର୍କିଂ ହୋଇଥିବା ଏକ କାର ଭିତରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ସିଲିଣ୍ଡର ବିସ୍ଫୋରଣ ପରେ ଗାଡ଼ିଟିରେ ନିଆଁ ଲାଗିଯାଇଥିଲା, ଯାହା ଫଳରେ ପାଖରେ ଥିବା ଅନ୍ୟ ଗାଡି଼ଗୁଡିକରେ ମଧ୍ୟ ନିଆଁ ବ୍ୟାପି ଲାଗି ଯାଇଥିଲା। ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଏହାର ଶବ୍ଦ ଛଅ କିଲୋମିଟର ଦୂର ପର୍ଯ୍ୟନ୍ତ ଶୁଣାଯାଇଥିଲା।
ବିସ୍ଫୋରଣରେ ପାଖରେ ପାର୍କିଂ ହୋଇଥିବା ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଆହତମାନଙ୍କ ମଧ୍ୟରୁ ଅଧିକାଂଶ ଓକିଲ ଏବଂ କୋର୍ଟରେ କାର୍ଯ୍ୟରତ କର୍ମଚାରୀ। ପୋଲିସ ଏହାକୁ ଏକ ଆତ୍ମଘାତୀ ଆକ୍ରମଣ ବୋଲି ସନ୍ଦେହ କରୁଛି।
ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଏହି ଆତ୍ମଘାତୀ ବିସ୍ଫୋରଣକୁ ଦୃଢ଼ ନିନ୍ଦା କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।
ଅନ୍ୟ ଏକ ଘଟଣାରେ, ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପଖତୁନଖ୍ୱା ପ୍ରଦେଶରେ ସୁରକ୍ଷା ବାହିନୀର ଏକ କନଭଏକୁ ଟାର୍ଗେଟ କରି ଏକ ଆଇଇଡି ବିସ୍ଫୋରଣରେ ଅତି କମରେ ୧୬ ଜଣ କର୍ମଚାରୀ ଆହତ ହୋଇଛନ୍ତି।
ଆଫଗାନିସ୍ତାନ ସୀମାନ୍ତ ଦକ୍ଷିଣ ୱାଜିରିସ୍ତାନ ଜିଲ୍ଲାର ଏକ କ୍ୟାଡେଟ୍ କଲେଜର ମୁଖ୍ୟ ଫାଟକରେ ଜଣେ ଆତ୍ମଘାତୀ ବିସ୍ଫୋରଣକାରୀ ବିସ୍ଫୋରଣ କରିବାରୁ ୬ ଜଣ ଆହତ ହୋଇଛନ୍ତି ବୋଲି ସୁରକ୍ଷା ଅଧିକାରୀମାନେ କହିଛନ୍ତି।