କିପରି ଥିଲା ରାଇମୋହନଙ୍କ ଫିଲ୍ମ ଦୁନିଆର ଯାତ୍ରା, ଜାଣନ୍ତୁ

ଭୁବନେଶ୍ୱର: ଓଲିଉଡ ଓ ଯଲିଉଡର ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡ଼ା ୧୯୮୬ ମସିହାରେ ମୁକ୍ତିଲାଭ କରିଥିବା ବସନ୍ତ ନାୟକଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ସୁପରହିଟ୍ ଫିଲ୍ମ ‘ପକାକମ୍ବଳ ପୋତ ଛତା’ ଜରିଆରେ ଓଡ଼ିଆ ସିନେମାରେ ପାଦ ଥାପିଥିଲେ। ପରେ ରାଇମୋହନଙ୍କୁ ମୁଖ୍ୟ ଖଳନାୟକ ଭୂମିକାରେ ମଧ୍ୟ ଅନେକ ସିନେମାରେ ଦେଖିବାକୁ ମିଳିଛି। ଏଥିମଧ୍ୟରେ ରହିଛି କୋଟିଏ ମଣିଷ ଗୋଟିଏ ଜଗା, ଲକ୍ଷେ ଶିବ ପୂଜି ପାଇଚି ପୁଅ, ସୁନା ସଂସାର, ସ୍ତ୍ରୀ, ରଣଭୂମି, ରସିକ ନାଗର, ତୁ ଥିଲେ ମୋ’ ଡର କାହାକୁ, ଅର୍ଜୁନ, ଲକ୍ଷ୍ମୀ ପ୍ରତିମା , ମେଣ୍ଟାଲ୍, ‘ତୁ ମୋ’ ସୁନାଚଢେଇ’ ଏବଂ ‘ମିଷ୍ଟର ମଜନୁ’ ଆଦି ସମେତ ୭୦ ରୁ ଅଧିକ ଓଡ଼ିଆ ସିନେମା।

ଏହାଛଡ଼ା ସେ କେତୋଟି ଓଡ଼ିଆ ‌ଧାରାବାହିକରେ ବି ନଜର ଆସିଥିଲେ। ମଞ୍ଜରୀ ଟିଭିରେ ପ୍ରସାରିତ ମେଗା ଧାରାବାହିକ ‘ସିଂହଦ୍ବାର’ରେ ରାଇମୋହନଙ୍କ ଅଭିନୟ ବେଶ ପ୍ରଭାବଶାଳୀ ଥିଲା। ତାଙ୍କ ଅଭିନୀତ ଯାତ୍ରା ନାଟକ ବି ଅନେକ ସମୟରେ ଚର୍ଚ୍ଚାରେ ରହିଥିଲା। ସେ ଖଳନାୟକ ଭାବେ ମଞ୍ଚରେ ବେଶ୍ ନିଖୁଣ ଅଭିନୟ କରୁଥିଲେ। ଯାତ୍ରାଜଗତର ସର୍ବାଧିକ ପାରିଶ୍ରମିକ ନେଉଥିବା କଳାକାରଙ୍କ ଭିତରୁ ଜଣେ ଥିଲେ ରାଇମୋହନ।

୧୯୬୩ ଜୁଲାଇ ୧୦ରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ ପରିଡା । ୧୯୯୮ ସିଂହବାହିନୀ, ସୁନାଭାଉଜରେ ତାଙ୍କ ଅଭିନୟ ଥିଲା ବେଶ ଜୀବନ୍ତ । ତାଙ୍କ ଅଭିନୟରେ ମତୁଆଲା ହୋଇଥିଲେ ଦର୍ଶକ । ରାଇମୋହନ ଥିଲେ କେନ୍ଦୁଝର ନିବାସୀ । କିନ୍ତୁ ସେ ଭୁବନେଶ୍ୱରେ ଆସି ରହୁଥିଲେ । ତାଙ୍କର ଦୁଇ ଝିଅ ଅଛନ୍ତି ।

ଉତ୍କଳ ସଂଗୀତ ମହାବିଦ୍ୟାଳୟରେ ସେ ଅଭିନୟ ଶିକ୍ଷା କରିଥିଲେ । ୧୯୮୫ ରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ କ୍ୟାରିୟର । ୧୯୮୭ରେ ସାଗର ସିନେମାରେ ପ୍ରଥମ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ଏହା ପୂର୍ବରୁ ସେ ସତ ମିଛରେ ଅଭିନୟ କରିଥିଲେ । ରାମ ଲକ୍ଷ୍ମଣ, ଆସିବୁ ସାଜିକେବେ ମୋ ରାଣୀ, ନାଗ ପଞ୍ଚମୀ, ଉଦଣ୍ଡୀ ସୀତା, ତୁ ଥିଲେ ମୋ ଡର କାହାକୁ, ରଣଭୂମି, ମେଣ୍ଟାଲ ଟୋକା ପ୍ରଭୃତି ଚଳଚିତ୍ରରେ ଅଭିନୟ କରିଥିଲେ ।

ଓଡ଼ିଆ ଚଳଚ୍ଚିତ୍ର ଓ ଯାତ୍ରାଜଗତର ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଥିବାର ସୂଚନା ମିଳିଛି। ରାଇମୋହନ ଭୁବନେଶ୍ବରର ପ୍ରାଚୀବିହାରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ତାଙ୍କ ଘରୁ ରାଇମୋହନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାରିବାରିକ ଅସନ୍ତୋଷକୁ ନେଇ ସେ ଜୀବନ ହାରିଥିବା କୁହାଯାଉଛି।